ପୁଣି ଖାକିରେ ଦାଗ

Pradeep Kar

ଛତ୍ରପୁର : ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ତଥା ପ୍ରଶିକ୍ଷଣରେ ଥିବା ଓଏଏସଆଇ (OASI) ଗୌରାଙ୍ଗ ବେହେରା। ଛତ୍ରପୁର ଥାନା ପୋଲିସ ଶୁକ୍ରବାର ତାଙ୍କୁ ଗିରଫ କରିବା ସହ ସ୍ଥାନୀୟ ଅଦାଲତରେ ହାଜର କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ଓଏଏସଆଇ ଗୌରାଙ୍ଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଗୌରାଙ୍ଗ ତାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ଦୀର୍ଘ ଦିନ ଧରି ଧୋକା ଦେଇ ଆସୁଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଏହି ସଂଗୀନ ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍ ନମ୍ବର ୨୯୮/୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଶୁକ୍ରବାର ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇନ ରକ୍ଷାକାରୀ ନିଜେ ଭକ୍ଷକ ସାଜିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Also Read

Tags