ବ୍ରହ୍ମପୁର, ୨୧/୮/୨୦୨୬: ନାବାଳିକା ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ଯୁବକ କୁ ନେଇ ଚାଲିଥିବା ମାମଲାର ବିଚାରଣା ଆଜି ରାୟ ପ୍ରକାଶ ପାଇଛି , ଅଭିଯୋଗ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ଓ ନିର୍ଭରଯୋଗ୍ୟ ସାକ୍ଷ୍ୟ-ପ୍ରମାଣ ଅଭାବରୁ ବ୍ରହ୍ମପୁର ସ୍ୱତନ୍ତ୍ର ପୋକସୋ ଅଦାଲତର ବିଚାରପତି ପ୍ରଣତୀ ପଟ୍ଟନାୟକ ଅଭିଯୁକ୍ତ ରାଜ କିଶୋର ବେହେରା ଓରଫ୍ ରାଜା ସେଠୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୫ ମସିହାରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ବିଚାରଣା ଆରମ୍ଭ ହୋଇଥିବା ବେଳେ ଅଦାଲତରେ ମୋଟ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ଅଭିଯୋଗକୁ ସନ୍ଦେହାତୀତ ଭାବେ ପ୍ରମାଣିତ କରିବା ପାଇଁ ଆବଶ୍ୟକ ଯଥେଷ୍ଟ ସାକ୍ଷ୍ୟ-ପ୍ରମାଣ ଉପସ୍ଥାପିତ ହୋଇନଥିବାରୁ ଅଦାଲତ ଅଭିଯୁକ୍ତ ରାଜ କିଶୋର ବେହେରା ଓରଫ୍ ରାଜା ସେଠୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପଟ୍ଟନାୟକ, ମଦନ ମୋହନ ପାଢ଼ୀ ଓ ତାରିଣୀ ମାଝୀ ମାମଲା ପରିଚାଳନା କରୁଥିଲେ।




