ବ୍ରହ୍ମପୁର: କ୍ରୀଡ଼ା, ସଙ୍ଗୀତ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କ୍ଷେତ୍ରରେ ନିଜର ଅସାଧାରଣ ପ୍ରତିଭା ଓ ସଫଳତା ବଳରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ତିନି ଯୁବ ପ୍ରତିଭାଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘କୁମାର ପୂର୍ଣ୍ଣିମା ଜହ୍ନ ଲୋ ଯୁବ ପ୍ରତିଭା ସମ୍ମାନ-୨୦୨୬’ ପ୍ରଦାନ କରାଯିବ। ବ୍ରହ୍ମପୁରସ୍ଥିତ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ମଧୁମୟ ପାଣିଗ୍ରାହୀ ଫାଉଣ୍ଡେସନ୍ (ଏମ୍ପିଏଫ୍) ପକ୍ଷରୁ ଏହି ତିନି ଜଣଙ୍କ ନାମ ଘୋଷଣା କରାଯାଇଛି। ସମ୍ମାନ ପାଇବାକୁ ଥିବା ପ୍ରତିଭାମାନେ ହେଲେ ଲୋମା ସ୍ୱାଇଁ, ସୁପରିଚିତ ଲୋକସଙ୍ଗୀତ ଗାୟକ, ଗୀତିକାର, ସଙ୍ଗୀତକାର ଓ ଅଭିନେତା ସର୍ବେଶ୍ୱର ଭୋଇ ଏବଂ ‘ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ-୨୦୨୬’ ମୁକୁଟ ବିଜୟିନୀ ପ୍ରାଶୂସୀ ପଣ୍ଡା l ଶ୍ରବଣ ଓ ବାକ୍ଶକ୍ତିରେ ଅକ୍ଷମତା ସତ୍ତ୍ୱେ ଲୋମା ସ୍ୱାଇଁ ୨୦୨୫ ମସିହାରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ସମର ଡିଫ୍ଲିମ୍ପିକ୍ସର ମହିଳା ୫୦ କିଲୋଗ୍ରାମରୁ କମ୍ କୁମିତେ କରାଟେ ବିଭାଗରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। ଏହା ଡିଫ୍ଲିମ୍ପିକ୍ସରେ ଭାରତର ପ୍ରଥମ କରାଟେ ପଦକ। ତାଙ୍କର ଏହି ସଫଳତା ଦେଶର ଅନେକ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣା ପାଲଟିଛି। କଳାହାଣ୍ଡିର ସର୍ବେଶ୍ୱର ଭୋଇ ଜଣେ ବିଦ୍ୟାଳୟ ଶିକ୍ଷକ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଲୋକସଙ୍ଗୀତକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ୨୦୧୭ ମସିହା ପାଇଁ ସଙ୍ଗୀତ ନାଟକ ଏକାଡେମୀର ‘ଉସ୍ତାଦ୍ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର’ ଲାଭ କରିଛନ୍ତି। ସେହିପରି ପ୍ରାଶୂସୀ ପଣ୍ଡା ଜୟପୁରଠାରେ ଆୟୋଜିତ ‘ମିସ୍ ଟିନ୍ ଦିଭା’ର ଗ୍ରାଣ୍ଡ ଫିନାଲେରେ ୩୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ‘ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ-୨୦୨୬’ ଜାତୀୟ ମୁକୁଟ ହାସଲ କରିଥିଲେ। ଏହି ସଫଳତା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛି।ପ୍ରତ୍ୟେକ ସମ୍ମାନପ୍ରାପ୍ତଙ୍କୁ ପାରମ୍ପରିକ ବ୍ରହ୍ମପୁରୀ ପାଟର ଉତ୍ତରୀୟ, ସ୍ମାରକୀ ଫଳକ ଓ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।ଏମ୍ପିଏଫ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରୁଥିବା ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଏହି ସମ୍ମାନ ଯୁବପିଢ଼ିର ପ୍ରତିଭାକୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନାକୁ ସମ୍ମାନ ଜଣାଉଛି। ଏମ୍ପିଏଫ୍ ପକ୍ଷରୁ ପ୍ରତିଷ୍ଠିତ ଏହି ସମ୍ମାନ ଗତ ୧୬ ବର୍ଷ ଧରି ବିଭିନ୍ନ କ୍ଷେତ୍ରର ଉଦୀୟମାନ ପ୍ରତିଭାଙ୍କୁ ଚିହ୍ନଟ ଓ ସମ୍ବର୍ଦ୍ଧିତ କରି ଆସୁଛି। ଏହାର ୪୫ ଜଣ ପୂର୍ବତନ ସମ୍ମାନପ୍ରାପ୍ତଙ୍କ ମଧ୍ୟରେ ଅଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣପଦକ ବିଜେତା ଭାରୋତ୍ତୋଳକ କେ.ରବି କୁମାର, ଅନ୍ତର୍ଜାତୀୟ ବକ୍ସର ମମତା କୁମାରୀ ପଣ୍ଡା, ପ୍ରଖ୍ୟାତ ନୃତ୍ୟଶିଳ୍ପୀ ହରିହର ଦାଶ, ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶାସ୍ମିତା ମଲ୍ଲିକ, ଅନ୍ତର୍ଜାତୀୟ ମହିଳା କ୍ରିକେଟର ରୋଜାନ୍ନାରା କେଫାଟିଲା ପରୱିନ୍, ଦକ୍ଷିଣ ମେରୁ ଅଭିଯାନରେ ସଫଳ ଭୂବିଜ୍ଞାନୀ ଅସିତ କୁମାର ସ୍ୱାଇଁ, ‘ଇଣ୍ଡିଆନ୍ ଆଇଡଲ୍’ର ଫାଇନାଲିଷ୍ଟ ସୋହିନୀ ମିଶ୍ର, ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ, ମାନବ-ରୋବୋଟ୍ ଉଦ୍ଭାବକ ନୀଳମାଧବ ବେହେରା, ସୁପରିଚିତ କଣ୍ଠଶିଳ୍ପୀ ସୁଜିତ କୁମାର, ଗୁଗୁଲ୍ ସାଇନ୍ସ ଫେୟାର୍ ପୁରସ୍କାର ବିଜୟିନୀ ଲଳିତା ପ୍ରସିଦା ଶ୍ରୀପଦ ସାଇ, ଫିଲ୍ମଫେୟାର ପୁରସ୍କାରପ୍ରାପ୍ତ ବଲିଉଡ୍ କଳା ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ, ‘ମାଷ୍ଟରସେଫ୍ ଇଣ୍ଡିଆ’ ବିଜେତା ଅବିନାଶ ନାୟକ, ‘ୱାର୍ଲ୍ଡସ୍କିଲ୍ସ’ ନବୀକରଣଯୋଗ୍ୟ ଶକ୍ତି ପୁରସ୍କାର ବିଜେତା ଅମରେଶ କୁମାର ସାହୁ, ‘ମିଲେଟ୍ କୁଇନ୍ ଅଫ୍ ଇଣ୍ଡିଆ’ ରାଇମତି ଘିଉରିଆ, ବଲିଉଡ୍ ପଚ୍ଛଦପଟ୍ଟ ଗାୟକ ଅସିତ ତ୍ରିପାଠୀ, ବିଶିଷ୍ଟ ଅଭିଲେଖବିତ୍ ଓ ଗବେଷକ ବିଷ୍ଣୁମୋହନ ଅଧିକାରୀ, ନିର୍ଭୀକ ‘ଜଙ୍ଗଲର ରାଣୀ’ ଜୟନ୍ତୀ ବୁରୁଡ଼ା ଯିଏ ଫୋର୍ବସ୍ ଇଣ୍ଡିଆରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ସାମ୍ବାଦିକ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବଲିଉଡ୍ ହେୟାର୍ ଷ୍ଟାଇଲିଷ୍ଟ ଓ ମେକ୍ଅପ୍ ବିଶେଷଜ୍ଞ କେ. ରାଜୁ ପ୍ରମୁଖ। କ୍ରୀଡ଼ା, ବିଜ୍ଞାନ, ସଙ୍ଗୀତ, ସଂସ୍କୃତି, କଳା ଓ ସାମାଜିକ ଜୀବନର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ଲୋକଲୋଚନକୁ ଆଣିବା, ଯୁବପିଢ଼ିର ପ୍ରତିଭାକୁ ସମ୍ମାନ ଦେବା ଓ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବା ଏହି ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ୧୬ ବର୍ଷ ମଧ୍ୟରେ ଫାଉଣ୍ଡେସନ୍ ଗ୍ରାମାଞ୍ଚଳର ୩,୦୦୦ରୁ ଅଧିକ ସ୍କୁଲ୍ ଓ କଲେଜ ଛାତ୍ରୀଙ୍କୁ ପାରମ୍ପରିକ ଗ୍ରାମୀଣ କ୍ରୀଡ଼ାରେ ଭାଗ ନେବାକୁ ଉତ୍ସାହିତ କରିଛି। ସେମାନଙ୍କ ମଧ୍ୟରୁ ୩୫୦ ଜଣ ବିଜୟିନୀ ଛାତ୍ରୀଙ୍କୁ ବୃତ୍ତିଗତ ତାଲିମ ଦେଇ ମଞ୍ଚରେ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣର ସୁଯୋଗ ଦିଆଯାଇଛି। ଦିନେ ଯେଉଁ ମଞ୍ଚରେ ନୃତ୍ୟ କରିବା ସେମାନଙ୍କ ପାଇଁ କେବଳ ସ୍ୱପ୍ନ ଥିଲା, ଆଜି ସେହି ମଞ୍ଚରେ ସେମାନେ ନିଜ ପ୍ରତିଭାର ପରିଚୟ ଦେଇପାରୁଛନ୍ତି।
ଲୋମା, ସର୍ବେଶ୍ୱର, ପ୍ରାଶୂସୀ ପାଇବେ କୁଆଁର ପୁନେଇଁ ଜହ୍ନ ଲୋ-୨୬ ଯୁବ ପ୍ରତିଭା ସମ୍ମାନ





