ବ୍ରହ୍ମପୁର,(ଏସ.ଏମ.ପି):-
ବ୍ରହ୍ମପୁର ମହାନଗରର ଜଣାଶୁଣା ଲେଖିକା ମାଧୁରୀ ଅଧିକାରୀଙ୍କ ରଚିତ ଡିଜିଟାଲ ବିଜ୍ଞାନ ସଂପର୍କୀୟ ପୁସ୍ତକ ‘ଚତୁର୍ଥ ଶିଳ୍ପ ବିପ୍ଳବ’ ଓଡ଼ିଶା ସରକାରଙ୍କ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ଉନ୍ମୋଚନ ଅବସରରେ ଓଡିଆ ଭାଷାରେ ଶିଳ୍ପ ଓ ଦକ୍ଷତା ବିକାଶ ସମ୍ପର୍କିତ ଏଭଳି ପୁସ୍ତକ ପ୍ରକାଶନ ବିରଳ ବୋଲି ମନ୍ତ୍ରୀ କହିବା ସହ ଲେଖିକାଙ୍କୁ ସାଧୁବାଦ ଜଣାଇଥିଲେ। ପୁସ୍ତକଟିରେ ଆଧୁନିକ ଶିଳ୍ପାୟନ ଓ ଦକ୍ଷତା ବିକାଶର ୪୦ଟି ଭିନ୍ନ ଭିନ୍ନ ଦିଗ ସଂପର୍କରେ ଉଲ୍ଲେଖ ରହିଛି। ଏହି ନିରାଡମ୍ବର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଲେଖିକା ମାଧୁରୀ ଅଧିକାରୀଙ୍କ ସହ ଓଡିଶା ଲେଖିକା ସଂସଦର ସଭାନେତ୍ରୀ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦିକା ଡ. ଶକୁନ୍ତଳା ବଳିୟାରସିଂହ, ପୁସ୍ତକ ପ୍ରକାଶକ ଉମାଶଙ୍କର ପାଣିଗ୍ରାହୀ, ଡା. ପ୍ରମିଳା ପାଣିଗ୍ରାହୀ, ସାହିତ୍ୟିକ ସୁଶାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ।