ବ୍ରହ୍ମପୁର, ୨୫l0୪ : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆଧୁନିକ ଓଡ଼ିଆ ରୋମାଣ୍ଟିକ୍ କାବ୍ୟ ଚେତନାର କୀର୍ତ୍ତିମାନ୍ କାବ୍ୟ ପ୍ରତିଭା ଡକ୍ଟର୍ ମାୟାଧର ମାନସିଂହଙ୍କ ସାରସ୍ୱତ ସୃଷ୍ଟି ସଂପର୍କରେ ଏହି ଆଲୋଚନା ଚକ୍ରରେ ସବିଶେଷ ଚର୍ଚ୍ଚା କରାଯାଇଥିଲା l ବିଭାଗ ମୁଖ୍ୟ ଡ. କୁଳମଣି ଓଝାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପ୍ରାକ୍ତନ ଆଞ୍ଚଳିକ ଉଚ୍ଚଶିକ୍ଷା ଉପ-ନିର୍ଦ୍ଦେଶକ ତଥା ମାନସିଂହ କାବ୍ୟ ସମ୍ଭାର ଉପରେ ଗବେଷଣା କରି ବିଦ୍ୟାବାରିଧି ଲାଭ କରିଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଥମ ଛାତ୍ର ଡ. କୈଳାସ ଚନ୍ଦ୍ର ତ୍ରିପାଠୀ ବିଷୟ ବିଶାରଦ ରୂପେ ଯୋଗଦେଇ ମାୟାଧର ମାନସିଂହଙ୍କ ସଂଘର୍ଷପୂର୍ଣ୍ଣ ଜୀବନ, ବ୍ୟକ୍ତିଗତ ଜୀବନରେ ଭୋଗିଥିବା ପ୍ରେମ ଓ ପ୍ରଣୟ, କାବ୍ୟ-କବିତା ସର୍ଜନା ଓ ପାର୍ଥିବ ପ୍ରେମର ସାର୍ଥକ କାବ୍ୟାୟନ ଆଦି ପ୍ରସଙ୍ଗରେ ପରିଚର୍ଚ୍ଚା କରିଥିଲେ l ପ୍ରାରମ୍ଭରେ ବିଭାଗ ମୁଖ୍ୟ ଡ. ଓଝା ମାୟାଧର ମାନସିଂହଙ୍କ ତିନିଟି କାଳଜୟୀ କବିତା ‘ଏଇ ସହକାର ତଳେ, ସେ ଦିନ ପ୍ରିୟାର କରକଙ୍କଣ ବେଢ଼ିଥିଲା ମୋର ଗଳେ’, ‘ସକଳେ ଡାକନ୍ତି ତମେ ତମେ ବୋଲି ସେ ତମେର ମୂଲ ନାହିଁ, ତମେ ଯେବେ ମତେ ତମେ ବୋଲି କହ ଏତେ ମିଠା କାହିଁ ପାଇଁ’, ‘ଶୁଣିବ ଯେବେ ପ୍ରିୟାଗୋ ମୋର ପ୍ରଣୟୀ ତଵ ଜଗତେ ନାହିଁ, ଆସିବ ମୋର ଭସ୍ମ ପାଶେ ଦେବ ହେ ତା’ରେ ଦେହର ଛାଇ’ ଆଦି ସମବେତ କଣ୍ଠରେ ଗାନ କରାଇବା ସହ କବିତାଗୁଡ଼ିକର ମର୍ମ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ଏହି ପରିଚର୍ଚ୍ଚାରେ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ରବୀନ୍ଦ୍ର କୁମାର ପଣ୍ଡା, ସହକାରୀ ପ୍ରଫେସର୍ ଡ. ସୁଶାନ୍ତ କୁମାର ପରିଡ଼ା, ଡ. ଶାରଦା ପ୍ରସାଦ ଦାସ ଓ ଅଧ୍ୟାପକ ଟି. ସୀମାଞ୍ଚଳ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l ସ୍ନାତକ ଓଡ଼ିଆ ସମ୍ମାନ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ସ୍ନାତକୋତ୍ତର ପ୍ରଥମ, ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଶେଷରେ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଛାତ୍ରୀ ମାମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଡକ୍ଟର୍ ମାୟାଧର ମାନସିଂହଙ୍କ କାବ୍ୟ ପରିଚର୍ଚ୍ଚା





