ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

Pradeep Kar

ବ୍ରହ୍ମପୁର, ତା. ୨୮.୦୪.୨୦୨୬:ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଯଥାର୍ଥ ମର୍ଯ୍ୟାଦାର ସହ ପାଳନ କରାଯାଇଛି। ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ ମଧୁସୂଦନ ଦାସଙ୍କୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା, ମହାନ୍ ଓଡ଼ିଆ ନେତା ଓ କୁଳବୃଦ୍ଧ ଭାବେ ସ୍ମରଣ କରିଥିଲେ। ସେ ସମଗ୍ର ଭାରତରେ ସ୍ୱଦେଶୀ ଓ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଥିବା ସହ ସମାଜ ସୁଧାରରେ ମଧ୍ୟ ଅସାଧାରଣ ଅବଦାନ ରଖିଥିଲେ। ଓକିଲାତି ବୃତ୍ତିରେ ମହିଳାଙ୍କୁ ଅନୁମତି ନଥିବା ସମୟରେ ସେ ଲଣ୍ଡନ ପ୍ରିଭି କାଉନସିଲରେ ଜନସ୍ୱାର୍ଥ ମାମଲା ଦାଖଲ କରି ଜିତିଥିଲେ, ଯାହା ଫଳରେ ମହିଳାମାନେ ଓକିଲାତି କରିବାର ଅଧିକାର ପାଇଥିଲେ। ଏହାସହିତ, ବକ୍ତାମାନେ କହିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଓଡ଼ିଶାର ଭୌଗଳିକ ସୀମା ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ, ଆଜି ଓଡ଼ିଶାବାସୀଙ୍କ ଜୀବିକା ଓ ଭିଟାମାଟି ସୁରକ୍ଷିତ ନୁହେଁ ବୋଲି ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଜଙ୍ଗଲ, ଖଣି, ନଦୀ ଓ ଜମି ସମ୍ପଦର ସୁରକ୍ଷା ସହ ଲୋକମାନଙ୍କ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ଏକତାବଦ୍ଧ ହେବାକୁ ଆହ୍ୱାନ କରାଯାଇଥିଲା। ଏହି ସଭାରେ ସମାଜସେବୀ ଆର୍. ସତ୍ୟନାରାୟଣ ରାଓ, କୁଶ ବେହେରା, ସୁରେନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବି ରଥ, ରାଜେନ୍ଦ୍ର କୁମାର ବିଷୋୟୀ, ବିଜୟ କୁମାର ପାଢ଼ୀ, ମନୋଜ କୁମାର ସାମଲ, ଗଗନ ଚନ୍ଦ୍ର ମଲ୍ଲିକ, ବୃନ୍ଦାବନ ଖଟେଇ, ମନୋରଞ୍ଜନ ମହାରଣା, ମହେଶ୍ୱର ବାଡତ୍ୟା, ଉଜ୍ଜଳେଶ୍ୱର ସାହୁ, ଏସ. ସାମ୍ବାଶିବା ରାଓ, ଆପ୍ ନେତା ଆଦିତ୍ୟ ରଥ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ,ମହମ୍ମଦ ଆସଲମ, ଭଗବାନ ସାହୁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ବିଜୟ ଚନ୍ଦ୍ର ନନ୍ଦ ଓ ପ୍ରେମଶିଳା ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Also Read

Tags