ଅନଘା ଗ୍ରାମପଞ୍ଚାୟତର ବିକାଶ ଓ ନୂତନ ସେତୁ ସଂଯୋଗୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

Pradeep Kar

ବ୍ରହ୍ମପୁର / ଭୁବନେଶ୍ୱର ତାରିଖ: ୦୮ ଜୁଲାଇ, ୨୦୨୬​ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ (ଆର. ଉଦୟଗିରି ବ୍ଲକ) ଅନ୍ତର୍ଗତ ଅନଘା ଗ୍ରାମପଞ୍ଚାୟତର ଦୀର୍ଘଦିନର ମୌଳିକ ସମସ୍ୟା ତଥା ରାସ୍ତା ସଂଯୋଗୀକରଣର ସ୍ଥାୟୀ ସମାଧାନ ପାଇଁ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।​ନିକଟରେ ଅନଘା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସରତ ବାଦାମୁଣ୍ଡି ଏବଂ ସମିତି ସଭ୍ୟ ଶ୍ରୀ ଭୂତି ଭୂଷଣ କରଜୀଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀ ସାଂସଦଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳର ଜନସାଧାରଣ ଭୋଗୁଥିବା ଚରମ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଅନଘା ପଞ୍ଚାୟତ ମୁଖ୍ୟାଳୟ ଅଧୀନରେ ୨୦ଟି ରାଜସ୍ୱ ଗ୍ରାମ ଏବଂ ୪ଟି ପଡ଼ା ଗ୍ରାମ (ସମୁଦାୟ ୨୪ଟି ଗ୍ରାମ) ରହିଥିବା ବେଳେ ଏବେ ସୁଦ୍ଧା ଅନେକ ଗ୍ରାମକୁ ପକ୍କା ରାସ୍ତାର ସୁବିଧା ନାହିଁ।​ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଥିବା ପ୍ରମୁଖ ପଥଗୁଡ଼ିକ:​ଅନଘା ରୁ ଭୂୟାଁପଡ଼ା (୨ କିଲୋମିଟର)​ଭୂୟାଁପଡ଼ା ରୁ ବଡ଼ିଆର (୫ କିଲୋମିଟର)​ବଡ଼ିଆର ରୁ ଦଳେଇସାହି (୩ କିଲୋମିଟର)​ଦଳେଇସାହି ରୁ କିମ୍ବସିଙ୍ଗ (୫ କିଲୋମିଟର)​କିମ୍ବସିଙ୍ଗ ରୁ ତିଲିବାଙ୍ଗ (୩ କିଲୋମିଟର)​ରାସ୍ତା ସଂଯୋଗୀକରଣ ଅଭାବରୁ ଏହି ଅଞ୍ଚଳର ହଜାର ହଜାର ଆଦିବାସୀ ଓ ଗ୍ରାମବାସୀ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଏବଂ ବିଦ୍ୟୁତ ଭଳି ସର୍ବନିମ୍ନ ସେବାରୁ ବଞ୍ଚିତ ହେଉଛନ୍ତି। ଜରୁରୀକାଳୀନ ଚିକିତ୍ସା କିମ୍ବା ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଆଜିର ଦିନରେ ମଧ୍ୟ ଗ୍ରାମବାସୀଙ୍କୁ ୧୦ ରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଭାର (ଖଟିଆ) ସାହାଯ୍ୟରେ ବୋହିବାକୁ ପଡ଼ୁଛି।​ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଜପତି ଜିଲ୍ଲାର ଅନଘା ଗ୍ରାମପଞ୍ଚାୟତ ସୀମା ଗଞ୍ଜାମ ଜିଲ୍ଲାର ଚିକିଟୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ଅଙ୍କୁଲି ପଞ୍ଚାୟତ ସହ ସଂଯୁକ୍ତ ଅଟେ। ଗଞ୍ଜାମ ଗ୍ରାମ୍ୟ ଉନ୍ନୟନ ବିଭାଗ (R.D. Division-2) ପକ୍ଷରୁ ଏହି ଦୁଇ ଜିଲ୍ଲାକୁ ଯୋଡ଼ୁଥିବା ଏକ ପ୍ରମୁଖ ସେତୁ ମଧ୍ୟ ମଞ୍ଜୁର ହୋଇସାରିଛି। ତେବେ ଏହି ସେତୁର ପ୍ରକୃତ ଲାଭ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଗଜପତି (ମୋହନା ପାର୍ଶ୍ୱ) ଅଞ୍ଚଳର ଏହି ପ୍ରସ୍ତାବିତ ରାସ୍ତାଗୁଡ଼ିକର ନିର୍ମାଣ ଅତ୍ୟନ୍ତ ଜରୁରୀ।​ଏହି ବିଷୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଂସଦ ଡକ୍ଟର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ତୁରନ୍ତ ପାଣ୍ଠି ମଞ୍ଜୁର କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହି ପତ୍ରର ନକଲ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗ୍ରାମ୍ୟ ଉନ୍ନୟନ ସଚିବ ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବି.ଡି.ଓ (ଆର. ଉଦୟଗିରି) ଙ୍କୁ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।​ଏହି ସଂଯୋଗୀକରଣ ଦ୍ୱାରା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମବାସୀ ବହୁଳ ଭାବେ ଉପକୃତ ହୋଇପାରିବେ ବୋଲି ସାଂସଦ ଆଶା ପ୍ରକଟ କରିଛନ୍ତି।​

Also Read

Tags