ଗଞ୍ଜାମ ପୋଲିସ ପକ୍ଷରୁ ବେଆଇନ ବିସ୍ଫୋରକ ସାମଗ୍ରୀର ବ୍ୟବହାରକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ

Pradeep Kar

ଗଞ୍ଜାମ ପୋଲିସ ପକ୍ଷରୁ ବେଆଇନ ବିସ୍ଫୋରକ ସାମଗ୍ରୀର ମହଜୁଦ, ପରିବହନ ଓ ବ୍ୟବହାରକୁ ରୋକିବା ପାଇଁ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବିସ୍ଫୋରକ ଆଇନ, ବିସ୍ଫୋରକ ପଦାର୍ଥ ଆଇନ, ଭାରତୀୟ ନ୍ୟାୟ ସଂହିତା ଏବଂ ଓଡ଼ିଶା ଆତସବାଜି ଓ ଲାଉଡସ୍ପିକର ନିୟନ୍ତ୍ରଣ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଅଭିଯାନରେ ୧୮ଟି ମାମଲା ରୁଜୁ ହୋଇଥିବାବେଳେ ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଏହି ମାମଲାରେ ଆଇନ ଅନୁଯାୟୀ ନୋଟିସ ମଧ୍ୟ ଜାରି କରାଯାଇଛି।ପୋଲିସ ୧୪ ହଜାରରୁ ଅଧିକ ଜେଲାଟିନ ଷ୍ଟିକ୍, ୩୪୦ରୁ ଅଧିକ ଡେଟୋନେଟର, ୧,୧୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ୍ ନାଇଟ୍ରେଟ୍, ବ୍ଲାଷ୍ଟିଂ ୱାୟାର, କେଲକର୍ଡ, ବାରୁଦ, ସଲଫର, ସୋଡିୟମ୍ ନାଇଟ୍ରେଟ୍, ଧାତୁ ଗୁଣ୍ଡ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହା ସହ ବେଆଇନ ଭାବେ ରଖାଯାଇଥିବା ଆତସବାଜି, ଅପରାଧରେ ବ୍ୟବହୃତ ଯାନବାହନ ଓ ଖନନ ଉପକରଣ ମଧ୍ୟ ଜବତ କରାଯାଇଛି।ସେହିପର ଅଭିଯାନ ସମୟରେ ବେଲଗାଁ ଥାନା ପୋଲିସ ୧୨,୪୦୦ ଜେଲାଟିନ ଷ୍ଟିକ୍ ଓ ୪୭ କଏଲ୍ ବ୍ଲାଷ୍ଟିଂ ୱାୟାର, କେ.ଏସ୍. ନଗର ଥାନା ପୋଲିସ ୨,୦୦୦ ଜେଲାଟିନ ଷ୍ଟିକ୍, ୫୦ ଡେଟୋନେଟର, ୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଓ ବ୍ଲାଷ୍ଟିଂ ୱାୟାର ଜବତ କରିଛି।ପୋଲସରା ଥାନା ପୋଲିସ ୧,୦୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ଛତ୍ରପୁର ଥାନା ପୋଲିସ ଜେଲାଟିନ ଷ୍ଟିକ୍, ଡେଟୋନେଟର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିସହ ଜିଲ୍ଲାର ବିଭିନ୍ନ ଥାନାରେ ବେଆଇନ ଭାବେ ଆତସବାଜି ଗଚ୍ଛିତ ଓ ବିକ୍ରି ସମ୍ପର୍କିତ ଏକାଧିକ ମାମଲା ଚିହ୍ନଟ କରାଯାଇଛି। ଗଞ୍ଜାମ ପୋଲିସ ପକ୍ଷରୁ କୁହାଯାଇଛି ଯେ ,ବେଆଇନ ବିସ୍ଫୋରକ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସେହିପରି ସନ୍ଦେହଜନକ ବିସ୍ଫୋରକ ସାମଗ୍ରୀର ମହଜୁଦ, ପରିବହନ କିମ୍ବା ବିକ୍ରି ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ଥାନା କିମ୍ବା ଜରୁରୀକାଳୀନ ହେଲ୍ପଲାଇନ ୧୧୨ରେ ଜଣାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।

Also Read

Tags