ଭବାନୀପାଟଣା, ୧୩/୦୭ (ପ୍ରଭାତୀ ଓଡିଶା) କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧିନସ୍ଥ ଅଁଳାଭଟା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଦାବିରୀଘାଟି ଗାଁରୁ।ଗର୍ଭବତୀ ଉମିଲା ମାଝୀଙ୍କର ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ପକ୍ଷରୁ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ହେଲେ ଗାଁକୁ ପକ୍କା ଖଣ୍ଡେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦାବିରୀଘାଟି ପହଞ୍ଚିପାରି ନଥିଲା ଏବଂ ଚଚରା ଗୁଡ଼ା ଗାଁରେ ଅପେକ୍ଷା କରିଥିଲା । ଏହାପରେ ପରିବାର ଓ ଗ୍ରାମବାସୀ ମାନେ ପ୍ରାୟ ୧୦ କିଲୋମିଟର ଦୂର ଟ୍ରାକ୍ଟରରେ ପ୍ରସୂତିଙ୍କୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଉମିଲା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ଚଚରା ଗୁଡ଼ାରୁ ଆମ୍ବୁଲାନ୍ସ ସହାୟତାରେ ମା’ ଓ ନବଜାତ ଶିଶୁଙ୍କୁ ନବରଙ୍ଗପୁର ଜିଲ୍ଲାର ମୈଦଲ ପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ପ୍ରସୂତିଙ୍କ ରକ୍ତ ଅଭାବ ଏବଂ ପ୍ରସୂତି ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ରହିଥିଲେ ମଧ୍ୟ ଏହି ସୀମାନ୍ତ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି, ସେଥିପାଇଁ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି । ଏହି ଘଟଣା ପୁଣିଥରେ ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ପ୍ରଶାସନର ସ୍ୱାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ସାମ୍ନାକୁ ଆଣିଛି । ତୁରନ୍ତ ପକ୍କା ରାସ୍ତା ନିର୍ମାଣ ଓ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଗ୍ରାମବାସୀ ମାନେ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି I ଏବେବି କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବା ଠିକ ଭାବେ ପହଞ୍ଚି ପାରୁନାହିଁ ଯାହାଫଳରେ ରୋଗୀଟି ଆମ୍ବୁଲେନ୍ସ ନପାଇ ଶେଷରେ ମୃତ୍ୟୁ ବରଣ କରୁଛି, ଏମିତିଆ ଦୁର୍ଗମ ଅଞ୍ଚଳରେ ଗ୍ରାମ ଗୁଡିକ ଅଛି ସେହି ଗ୍ରାମକୁ ଆମ୍ବୁଲାନ୍ସ ଯିବା ଦୂରର କଥା ପାଦ ଚଲା ଖଣ୍ଡେ ଭଲଟା ନାହିଁ I ଆଜିର ଏହି ଘଟଣା ପରେ ବୁଦ୍ଧିଜୀବୀ ମହଲରେ ପ୍ରଶାସନ କୁ ବୋହୁ ନିନ୍ଦା କରାଯାଇଛି I




