ନୂଆଦିଲ୍ଲୀ/ବ୍ରହ୍ମପୁର:ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୨୦୪୭ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ଦିଗରେ ଓଡ଼ିଶାର ସହରାଞ୍ଚଳ ଗୁଡ଼ିକର ରୂପାନ୍ତରଣ ପାଇଁ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ନୀତି ଆୟୋଗ (NITI Aayog) ର ସାମ୍ପ୍ରତିକ ରିପୋର୍ଟକୁ ଆଧାର କରି ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ସରକାରୀ ପତ୍ର (Ref No: MP/BAM/2026/UR-07/115) ଲେଖି ଦେଶ ତଥା ଓଡ଼ିଶାର ଟାୟାର-୨ (Tier-II) ଏବଂ ଟାୟାର-୩ (Tier-III) ସହରଗୁଡ଼ିକରେ ବ୍ୟାପକ ସହରାଞ୍ଚଳ ସଂସ୍କାର ଆଣିବା ପାଇଁ ଅନୁରୋଧ କରିଛନ୍ତି।ସାଂସଦ ଡ. ପାଣିଗ୍ରାହୀ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ୨୦୩୬ ସୁଦ୍ଧା ଭାରତର ସହରାଞ୍ଚଳ ଜନସଂଖ୍ୟା ପ୍ରାୟ ୬୦ କୋଟିରେ ପହଞ୍ଚିବ ଏବଂ ଦେଶର ଜିଡିପି (GDP) ର ୭୦% ଭାଗ ସହରଗୁଡ଼ିକରୁ ହିଁ ଆସିବ। ଏହି ପରିପ୍ରେକ୍ଷୀରେ କେବଳ ମେଟ୍ରୋ ସହର ନୁହେଁ, ବରଂ ଓଡ଼ିଶାର ଦ୍ରୁତ ବିକାଶଶୀଳ ସହର ଯଥା— ସମ୍ବଲପୁର, ରାଉରକେଲା, କଟକ, ପୁରୀ, ବାଲେଶ୍ୱର, ପାରାଦୀପ, ବାରିପଦା, ଝାରସୁଗୁଡ଼ା ଏବଂ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେଶମ ସହର ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡ଼ିକୁ ଅର୍ଥନୀତିର ମୁଖ୍ୟ ଚାଳିକା ଶକ୍ତି ଭାବେ ଗଢ଼ି ତୋଳିବା ଜରୁରୀ।ସାଂସଦଙ୍କ ଦ୍ୱାରା ଉପସ୍ଥାପିତ ପ୍ରମୁଖ ୩ଟି ସଂସ୍କାର ପ୍ରସ୍ତାବ:ଗତିଶୀଳ ଆର୍ଥିକ ଯୋଜନା (Strategic Economic Planning): ପୁରୁଣା ମାଷ୍ଟର ପ୍ଲାନ ପରିବର୍ତ୍ତେ ସହରଗୁଡ଼ିକୁ ଆଞ୍ଚଳିକ ଅର୍ଥନୈତିକ କେନ୍ଦ୍ର ଭାବେ ବିକଶିତ କରାଯାଉ, ଯେଉଁଠାରେ ଗାଡ଼ି ମୋଟର ଅପେକ୍ଷା ଜନସାଧାରଣଙ୍କ ଚଲାପଥ ଓ ଉତ୍ତମ ଯୋଗାଯୋଗକୁ ପ୍ରାଥମିକତା ଦିଆଯିବ।ନିୟାମକ ଆଧୁନିକୀକରଣ (Regulatory Modernization): ପୁରୁଣା Floor Area Ratio (FAR) ଏବଂ FSI ନିୟମରେ କୋହଳତା, ସରଳ ଜମି ବ୍ୟବହାର ପରିବର୍ତ୍ତନ ଏବଂ ଡିଜିଟାଲ ବିଲଡିଂ ଅନୁମୋଦନ ଦ୍ୱାରା ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବ ଓ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଶସ୍ତା ଘର ଉପଲବ୍ଧ ହେବ।ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ଆର୍ଥିକ ସଶକ୍ତୀକରଣ: ବିଶ୍ୱ ସ୍ତର ତୁଳନାରେ ଭାରତର ପୌରପାଳିକା ଗୁଡ଼ିକର ନିଜସ୍ୱ ଟିକସ ଆଦାୟ (ମାତ୍ର ୦.୨%) ବହୁତ କମ୍ ରହିଛି। ପୌର ନିଗମଗୁଡ଼ିକୁ ମ୍ୟୁନିସିପାଲ ବଣ୍ଡ (Municipal Bonds) ଏବଂ ଆଧୁନିକ ସମ୍ପତ୍ତି କର ବ୍ୟବସ୍ଥା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ପ୍ରଦାନ କରାଯାଉ।ସାଂସଦ ଡ. ପାଣିଗ୍ରାହୀ ଆଶା ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସବଳ ନେତୃତ୍ୱରେ ଯେପରି ଡିଜିଟାଲ ଶାସନ ଏବଂ ଜାତୀୟ ରାଜପଥ କ୍ଷେତ୍ରରେ କ୍ରାନ୍ତି ଆସିଛି, ସେହିପରି ନୀତି ଆୟୋଗ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଓଡ଼ିଶାର ଏହି ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ବିକାଶ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଦେଶାନ୍ତର ପରି ପ୍ରବାସୀ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।ଏହି ସମ୍ପର୍କିତ ପତ୍ରର ନକଲ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ, ନୀତି ଆୟୋଗର ସିଇଓ (CEO), ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବ୍ରହ୍ମପୁର ସମେତ ଓଡ଼ିଶାର ସମସ୍ତ ପୌର କମିଶନରଙ୍କ ନିକଟକୁ ପ୍ରେରଣ କରାଯାଇଛି।
ଓଡ଼ିଶାର ସହରଗୁଡ଼ିକର ବିକାଶ ଓ ସହରାଞ୍ଚଳ ସଂସ୍କାର ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବ୍ରହ୍ମପୁର ସାଂସଦ





