ଖଲ୍ଲିକୋଟ: ଦୁଇ ଜଣ ସାଙ୍ଗ ଏକ ସ୍କୁଟିରେ ସାନ ଘାଟି ଠାରୁ ନିଜ ଗ୍ରାମ ଫେରୁଥିବା ସମୟରେ ମୁକୁନ୍ଦପୁର ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଖଲ୍ଲିକୋଟର ଓ ସୁରେଶ ଦାସ ବୟସ ୨୧ ଓ ସୁମିତ୍ ନାୟକ ବୟସ ୧୭ ସାନଘାଟି ଅଞ୍ଚଳରୁ ଏକ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମୁକୁନ୍ଦପୁର ଛକ ନିକଟରେ କୌଣସି କାରଣରୁ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ଜୋରଦାର ପିଟି ହୋଇଥିଲା। ଫଳରେ ଉଭୟ ଯୁବକ ଛିଟିକି ପଡିଥିଲେ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଖଲ୍ଲିକୋଟ ମେଡିକାଲକୁ ନେଇଥିଲେ । କିନ୍ତୁ ସୁରେଶ ଦାସଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡକ୍ଟର । ଅନ୍ୟପଟେ ଗୁରୁତର ଆହତ ସୁମିତ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଥିବାବେଳେ ସମଗ୍ର ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
ଖଲ୍ଲିକୋଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।





