ଓଡ଼ିଶାର ବିଶିଷ୍ଟ ଫୁସଫୁସ ବିଶେଷଜ୍ଞ ଡା. ନାରାୟଣ ମିଶ୍ରଙ୍କୁ ଜାତୀୟ ସମ୍ମାନ

Pradeep Kar

ଓଡ଼ିଶାର ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପ୍ରଫେସର ଡା. ନାରାୟଣ ମିଶ୍ରଙ୍କୁ ଇଣ୍ଡିଆନ୍ କଲେଜ୍ ଅଫ୍ ଆଲର୍ଜି, ଆସ୍ଥମା ଆଣ୍ଡ ଆପ୍ଲାଏଡ୍ ଇମ୍ୟୁନୋଲୋଜି (ICAAI) ପକ୍ଷରୁ ପ୍ରତିଷ୍ଠିତ ଶିବପୁରୀ ମେମୋରିଆଲ୍ ଓରେସନ୍ ଆୱାର୍ଡ ପ୍ରଦାନ କରାଯାଇଛି। ଇନ୍ଦୋରଠାରେ ଅନୁଷ୍ଠିତ ସଂଗଠନର ଜାତୀୟ ସମ୍ମିଳନୀରେ ଡା. ମିଶ୍ରଙ୍କୁ 25 th September ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଡା. ମିଶ୍ର “ପୋଷ୍ଟ-କୋଭିଡ୍ ଲଙ୍ଗ୍: ହ୍ୱେନ୍ ହାଇପର୍‌ରେସ୍ପନ୍ସିଭ୍‌ନେସ୍ ଆଉଟ୍‌ଲାଇଭ୍‌ସ୍ ଦି ଭାଇରସ୍” ଶୀର୍ଷକ ବିଷୟ ଉପରେ ତାଙ୍କର ବିଶିଷ୍ଟ ବକ୍ତୃତା ପ୍ରଦାନ କରିଥିଲେ। ଜାତୀୟସ୍ତରୀୟ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଅଧିକ ବୈଜ୍ଞାନିକ ଓ ଚିକିତ୍ସା ବିଶେଷଜ୍ଞ ଯୋଗଦେଇଥିଲେ।ଜାତୀୟସ୍ତରରେ ସୁପରିଚିତ ଶ୍ୱାସକ୍ରିୟା ରୋଗ ବିଶେଷଜ୍ଞ ଡା. ମିଶ୍ର ଦେଶର ଦୁଇ ପ୍ରମୁଖ ଶିକ୍ଷା ଓ ଚିକିତ୍ସା ସଂଗଠନ—ଇଣ୍ଡିଆନ୍ ଚେଷ୍ଟ ସୋସାଇଟି ଏବଂ ନ୍ୟାସନାଲ୍ କଲେଜ୍ ଅଫ୍ ଚେଷ୍ଟ ଫିଜିସିଆନ୍ସ ଅଫ୍ ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପକ୍ଷରୁ ତାଙ୍କୁ ପ୍ରଫେସର ଏମେରିଟସ୍ ସମ୍ମାନ ପ୍ରଦାନ କରାଯାଇଛି। ବର୍ତ୍ତମାନ ସେ ରୟାଲ୍ କଲେଜ୍ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନ୍ସ ଅଫ୍ ଗ୍ଲାସଗୋର ଅନ୍ତର୍ଜାତୀୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ୱାସକ୍ରିୟା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦୀର୍ଘଦିନର ଅବଦାନ ପାଇଁ ଡା. ମିଶ୍ର ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ସହ ୧୦୦ରୁ ଅଧିକ ଜାତୀୟ ସମ୍ମାନ ପାଇଛନ୍ତି। ଚିକିତ୍ସା ଓ ଶିକ୍ଷା କ୍ଷେତ୍ର ବାହାରେ ମଧ୍ୟ ଜନସ୍ୱାସ୍ଥ୍ୟ ସଚେତନତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅବଦାନ ରହିଛି। ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ତମାଖୁ ନିୟନ୍ତ୍ରଣ, ଯକ୍ଷ୍ମା, ବ୍ରଙ୍କିଆଲ୍ ଆସ୍ଥମା, COPD ଏବଂ କୋଭିଡ୍-୧୯ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି। ୩୨ ବର୍ଷ ମଧ୍ୟରେ ସେ ଭାରତର ୪ଟି ରାଜ୍ୟରେ କିଶୋର-କିଶୋରୀଙ୍କ ପାଇଁ ୬୭୦ରୁ ଅଧିକ ତମାଖୁବିରୋଧୀ ସଚେତନତା କର୍ମଶାଳା ଆୟୋଜନ କରିଛନ୍ତି।୨୦୦୯ ମସିହାରେ ବିଶ୍ୱ କର୍କଟ ଦିବସ ଅବସରରେ ତାଙ୍କ ନେତୃତ୍ୱରେ ଆୟୋଜିତ ଏକ ବିଶାଳ ସଚେତନତା ରାଲିରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲା। ରୋଟାରୀ ଇଣ୍ଟରନ୍ୟାସନାଲ୍ ସହ ଜଡ଼ିତ ରହି ଡା. ମିଶ୍ର ସମାଜସେବା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ରୋଟାରିଆନ୍ ତଥା ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ର ପୂର୍ବତନ ଗଭର୍ନର ଭାବେ ସେ ବଞ୍ଚିତ ଓ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ, ବିଶେଷକରି ଶିକ୍ଷା ଓ ମୌଳିକ ସୁବିଧା କ୍ଷେତ୍ରରେ, ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ପୁସ୍ତକାଳୟ, ଡୁଆଲ୍ ଡେସ୍କ ଓ ବେଞ୍ଚ୍, ବିଶୁଦ୍ଧ ପାନୀୟ ଜଳ ସୁବିଧା ଏବଂ ଅନ୍ୟାନ୍ୟ ଶିକ୍ଷାଭିତ୍ତିକ ମୌଳିକ ଢାଞ୍ଚା ଯୋଗାଇଦେବା ଭଳି ବିଭିନ୍ନ ସାମାଜିକ ପଦକ୍ଷେପରେ ମଧ୍ୟ ତାଙ୍କର ଅବଦାନ ରହିଛି।ଶିବପୁରୀ ମେମୋରିଆଲ୍ ଓରେସନ୍ ଆୱାର୍ଡ ଡା. ନାରାୟଣ ମିଶ୍ରଙ୍କ ଶ୍ୱାସକ୍ରିୟା ଚିକିତ୍ସା ବିଜ୍ଞାନ, ଚିକିତ୍ସା ଶିକ୍ଷା, ଜନସ୍ୱାସ୍ଥ୍ୟ ସଚେତନତା ଓ ସମାଜସେବା କ୍ଷେତ୍ରରେ ଦୀର୍ଘଦିନର ଅବଦାନକୁ ଆଉ ଏକ ଜାତୀୟ ସ୍ୱୀକୃତି ପ୍ରଦାନ କରିଛି।

Also Read

Tags