ବ୍ରହ୍ମପୁର, ୦୬/୧୦: ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ମଧ୍ୟସ୍ଥତାଯୋଗ୍ୟ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଲକ୍ଷ୍ୟରେ ଅକ୍ଟୋବର ୧ ତାରିଖରୁ ‘ମେଡିଏସନ୍ ଡ୍ରାଇଭ୍–୩.୦’ ଆରମ୍ଭ ହୋଇଛି। ଏହି ଅଭିଯାନ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ମଧ୍ୟସ୍ଥତା ଏକ ସରଳ, ଶୀଘ୍ର ଓ ଖର୍ଚ୍ଚ ସଞ୍ଚୟକାରୀ ବିବାଦ ସମାଧାନ ପ୍ରକ୍ରିୟା। ମଧ୍ୟସ୍ଥଙ୍କ ସହଯୋଗରେ ମାମଲାର ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ନିଜସ୍ୱ ସମ୍ମତିରେ ବିବାଦର ସମାଧାନ କରିପାରନ୍ତି। ଏହାଦ୍ୱାରା ଦୀର୍ଘ ନ୍ୟାୟିକ ପ୍ରକ୍ରିୟାରୁ ମୁକ୍ତି ସହିତ ଉଭୟ ପକ୍ଷଙ୍କ ସମୟ, ଅର୍ଥ ଓ ମାନସିକ ଚାପ ହ୍ରାସ ପାଇଥାଏ।ଏହି ଅଭିଯାନରେ ଅଦାଲତରେ ବିଚାରାଧୀନ ମଧ୍ୟସ୍ଥତାଯୋଗ୍ୟ ମାମଲାର ପକ୍ଷମାନେ ମଧ୍ୟସ୍ଥତାର ସୁଯୋଗ ନେଇ ନିଜ ବିବାଦର ଶୀଘ୍ର ସମାଧାନ କରିପାରିବେ। ବିଶେଷକରି ପରିବାରିକ, ଦାମ୍ପତ୍ୟ, ସମ୍ପତ୍ତି, ଅର୍ଥନୈତିକ ଓ ଅନ୍ୟାନ୍ୟ ମଧ୍ୟସ୍ଥତାଯୋଗ୍ୟ ବିବାଦ କ୍ଷେତ୍ରରେ ଏହା ଉପଯୋଗୀ ହୋଇପାରିବ।“ବିବାଦ ନୁହେଁ, ସମାଧାନକୁ ବାଛନ୍ତୁ—ମଧ୍ୟସ୍ଥତା ମାଧ୍ୟମରେ ଶୀଘ୍ର ନ୍ୟାୟ ପାଆନ୍ତୁ”—ଏହି ବାର୍ତ୍ତା ସହ ସାଧାରଣ ଜନତାଙ୍କୁ ‘ମେଡିଏସନ୍ ଡ୍ରାଇଭ୍–୩.୦’ର ସୁଯୋଗ ନେବାକୁ ଆହ୍ୱାନ କରାଯାଇଛି। ମାମଲା ବର୍ଷ ବର୍ଷ ଧରି ଚାଲିବାକୁ ଅପେକ୍ଷା ନକରି ମଧ୍ୟସ୍ଥତା ମାଧ୍ୟମରେ ଶୀଘ୍ର ଓ ସୌହାର୍ଦ୍ଦପୂର୍ଣ୍ଣ ସମାଧାନର ପଥ ବାଛିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।




