୮୧ତମ ରାଜ୍ୟ ପୋଲିସ ଫୁଟବଲ୍ ଚାମ୍ପିୟନସିପ୍‌ର ଶୁଭାରମ୍ଭ

Pradeep Kar

କନ୍ଧମାଳ, ୨୦.୦୮.୨୦୨୬ କନ୍ଧମାଳ ଜିଲ୍ଲାରେ ଆଜି ୮୧ତମ ରାଜ୍ୟ ପୋଲିସ ଫୁଟବଲ୍ ଚାମ୍ପିୟାନସିପ–୨୦୨୬ର ଶୁଭାରମ୍ଭ ହୋଇଯାଇଛି। ଏହି ଉତ୍ସବରେ ଶ୍ରୀ ନୀତି ଶେଖର ଆଇଜିପି, (ଦକ୍ଷିଣାଞ୍ଚଳ, ବ୍ରହ୍ମପୁର) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆଇଜିପି ଶ୍ରୀ ନୀତି ଶେଖର ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, କ୍ରୀଡ଼ା କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଶୃଙ୍ଖଳା, ଚରିତ୍ର ଗଠନ, ଦଳଗତ ମନୋଭାବ ଓ ନେତୃତ୍ୱର ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ। ପୋଲିସ ବିଭାଗରେ ଜଣେ ସୁସ୍ଥ, ସକ୍ଷମ ଓ ଶୃଙ୍ଖଳିତ କର୍ମଚାରୀ ହିଁ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ଅଧିକ ଦକ୍ଷତାର ସହ ସମ୍ପାଦନ କରିପାରିବେ। ତେଣୁ “Fit Police, Strong Police” ଆମର ଏକ ପ୍ରମୁଖ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ଚାମ୍ପିୟାନସିପ ୨୦ ଅଗଷ୍ଟରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଏଥିରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା, ବାଟାଲିୟନ୍‌ ଓ ପୋଲିସ ପ୍ରତିଷ୍ଠାନରୁ ମୋଟ ୪୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଟି ଦଳ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଦିବସରେ ପ୍ରଥମ ପର୍ଯ୍ୟାୟର ୨୪ଟି ଦଳର ପ୍ରାୟ ୫୦୦ ଜଣ ଖେଳାଳି ଓ ପ୍ରତିନିଧି ଯୋଗଦେଇଥିଲେ।ଆଜି ଚାମ୍ପିୟାନସିପର ପ୍ରଥମ ଦିନରେ ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକରେ କନ୍ଧମାଳ ୨–୦ ଗୋଲ୍‌ରେ ସିଗ୍‌ନାଲ୍‌, କଟକକୁ ପରାସ୍ତ କରିଥିବା ବେଳେ ସୁନ୍ଦରଗଡ଼ ୮–୦ ଗୋଲ୍‌ରେ ବୌଦ୍ଧକୁ ପରାସ୍ତ କରିଥିଲା। ସେହିପରି ଓଏସଏପି ୨ୟ ବାଟାଲିୟନ୍‌, ଝାରସୁଗୁଡ଼ା ୧୧–୦ ଗୋଲ୍‌ରେ ଦେବଗଡ଼କୁ ହରାଇଥିଲା।ଅନ୍ୟ ମ୍ୟାଚ୍‌ରେ ନୂଆପଡ଼ା ୩–୧ ଗୋଲ୍‌ରେ ଓଏସଏପି ୧ମ ବାଟାଲିୟନ୍‌, ଢେଙ୍କାନାଳକୁ ପରାସ୍ତ କରିଥିବା ବେଳେ କୋରାପୁଟ ୩–୧ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ହରାଇଥିଲା। ଓଏସଏପି ଅଷ୍ଟମ ବାଟାଲିୟନ୍‌, ଛତ୍ରପୁର ଓ ମାଲକାନଗିରି ମଧ୍ୟରେ ମ୍ୟାଚ୍‌ ୦–୦ ଗୋଲ୍‌ରେ ଡ୍ର ରହିଥିଲା।ଆଜିର ଏହି ଉଦଘାଟନି ସମାରୋହରେ ଶ୍ରୀ ରମେନ୍ଦ୍ର ପ୍ରସାଦ, ଏସ୍‌ପି, କନ୍ଧମାଳ, ଶ୍ରୀ ବେଦଭୂଷଣ, ଜିଲ୍ଲାପାଳ, କନ୍ଧମାଳ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ଶ୍ରୀ ନୀଳ ମାଧବ ସ୍ଵାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

Also Read

Tags