ଜନସାଧାରଣଙ୍କ ସ୍ଥାନାନ୍ତରଣ ଯୋଜନା: ମୋଟ ୨,୯୪,୭୫୨ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାର ଲକ୍ଷ୍ୟ ରହିଥିବାବେଳେ, ଇତିମଧ୍ୟରେ ୧,୫୧,୪୩୪ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଆଶ୍ରୟସ୍ଥଳୀର ବ୍ୟବସ୍ଥା: ଜିଲ୍ଲାରେ ୧୧୦ଟି ସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ମୋଟ ୩,୪୧,୭୦୦ ଜଣଙ୍କ ରହିବା ପାଇଁ କ୍ଷମତା ରହିଛି। ସ୍ୱାସ୍ଥ୍ୟସେବା: ସ୍ଥାନାନ୍ତରଣ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ମୌଳିକ ସୁବିଧା: ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ଗୁଡ଼ିକରେ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀର ମହଜୁଦ ସୁନିଶ୍ଚିତ କରାଯାଇଛି। ଅତିରିକ୍ତ ଆବଶ୍ୟକତା ମଧ୍ୟ ଜଣାଇ ଦିଆଯାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଏହାର ଯୋଗାଣ କରାଯିବ। ସ୍ଥାନାନ୍ତରିତ ଲୋକମାନଙ୍କ ରହିବା ସ୍ଥାନରେ ଜେନେରେଟର୍ ଓ ପାଣି ଟ୍ୟାଙ୍କର୍ର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଜନସଚେତନତା: ସମସ୍ତ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଗ୍ରାମସ୍ତରୀୟ ସମନ୍ୱୟ: ପ୍ରତ୍ୟେକ ଗ୍ରାମ ପାଇଁ ଜଣେ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି। ସେମାନେ ସମନ୍ୱୟ ରକ୍ଷା କରିବା ସହ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଣ ସୁନିଶ୍ଚିତ କରିବେ। ଶିକ୍ଷାନୁଷ୍ଠାନ ବନ୍ଦ: ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସଡ଼କ ଓ ବିଦ୍ୟୁତ୍ ସଂଯୋଗ: ସମସ୍ତ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସଡ଼କ ଓ ବିଦ୍ୟୁତ୍ ସଂଯୋଗ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯିବ। ବିପଦପୂର୍ଣ୍ଣ କୋଠାରୁ ସ୍ଥାନାନ୍ତରଣ: ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି। ଭୂସ୍ଖଳନପ୍ରବଣ ଅଞ୍ଚଳ ଚିହ୍ନଟ: ଜିଲ୍ଲାର ୪ଟି ବ୍ଲକ୍ରେ ଭୂସ୍ଖଳନପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେହି ଅନୁଯାୟୀ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।




