ନବୀନ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ଦେଇ ରାଜ୍ୟ ରାଜନୀତିରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ନବୀନ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ନିର୍ବାଚନ ଲଢ଼ିବେ ଏବଂ ବିଜେଡି ତାଙ୍କରି ନେତୃତ୍ୱରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ । ଏହି ଘୋଷଣା ମାଧ୍ୟମରେ ସେ ନିଜର ଅବସର କିମ୍ବା ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି।ଦଳରେ ସାମିଲ ହୋଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ମଧ୍ୟ ନବୀନ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସୁଜାତା ଜଣେ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇଛନ୍ତି । ସୁଜାତା ଜଣେ ଦକ୍ଷ ପ୍ରଶାସିକା ଥିଲେ ମଧ୍ୟ ଦଳରେ ତାଙ୍କୁ ବର୍ତ୍ତମାନ କୌଣସି ସ୍ୱତନ୍ତ୍ର କିମ୍ବା ବଡ଼ ପଦବୀ ଦିଆଯିବ ନାହିଁ ।ତେବେ ନବୀନଙ୍କ ଏହି ସଦ୍ୟତମ ବୟାନ ପରେ ଏବେ ନୂଆ ପ୍ରଶ୍ନ ଉଠିଛି। ଯଦି ସୁଜାତା କେବଳ ଜଣେ ସାଧାରଣ କର୍ମୀ ଭାବେ ଯୋଗ ଦେବାର ଥିଲା, ତେବେ ଶଙ୍ଖ ଭବନରେ ଏତେ ବଡ଼ ଆୟୋଜନର ଆବଶ୍ୟକତା କଣ ଥିଲା? ଏହାସହ ନବୀନ ନିଜେ ନିର୍ବାଚନ ଲଢ଼ିବା କଥା କହି ବିରୋଧୀଙ୍କୁ ମଧ୍ୟ ଏକ କଡ଼ା ବାର୍ତ୍ତା ଦେଇଛନ୍ତି ଯେ, ବିଜେଡିର ମଙ୍ଗ ଏବେ ମଧ୍ୟ ତାଙ୍କରି ହାତରେ ସୁରକ୍ଷିତ । ନବୀନଙ୍କ ଏହି ଆଭିମୁଖ୍ୟ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଥିବା ବେଳେ ରାଜନୈତିକ ସମୀକ୍ଷକଙ୍କୁ ପୁଣି ଥରେ ଚିନ୍ତା କରିବାକୁ ଖୋରାକ ଦେଇଛି।
ରାଜ୍ୟ ରାଜନୀତିରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ବିଜେଡି ସୁପ୍ରିମୋ





