ବ୍ରହ୍ମପୁର୍ ୩୦/୪ ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଗଣିତ ବିଭାଗର ପ୍ରତିଷ୍ଠିତ ମୁଖ୍ୟ ଡ଼. ପ୍ରମୋଦ କୁମାର ଚୌଧୁରୀଙ୍କ ଅବସର ଅବସରରେ ଏକ ଗରିମାମୟ ଓ ଭାବବିହ୍ୱଳ ବିଦାୟ ସମାରୋହ ଗୁରୁବାର ଆୟୋଜିତ ହୋଇଥିଲା।ପୂର୍ବତନ ଜିବି ଅଧ୍ୟକ୍ଷ ବାସୁଦେବ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଉଦ୍ବୋଧନରେ ଡ଼. ଚୌଧୁରୀଙ୍କୁ “ମହାବିଦ୍ୟାଳୟର ଗର୍ବ ଓ ଗଣିତ ବିଭାଗର ଆତ୍ମା” ବୋଲି ଅଭିହିତ କରିଥିଲେ।ଏହି ଅବସରରେ ଡ଼. ରମେଶ ଚନ୍ଦ୍ର ସେନାପତି ଡ଼. ଚୌଧୁରୀଙ୍କ ଦୀର୍ଘ ବର୍ଷର ଅନୁଭବ ଓ ଶିକ୍ଷାକ୍ଷେତ୍ରରେ ତାଙ୍କ ଅପୂର୍ବ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। ସନ୍ଧ୍ୟା ରାଣୀ ପାତ୍ର ତାଙ୍କର ସରଳତା, ନମ୍ରତା ଓ ଶିକ୍ଷାଦାନରେ ନିଷ୍ଠାକୁ ଉଚ୍ଚ ସ୍ତୁତି କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ସାହୁ ତାଙ୍କ ଅଭିଭାଷଣରେ ଡ଼. ଚୌଧୁରୀଙ୍କ ସହ ନିଜସ୍ୱ ସମ୍ପର୍କ, ପରୀକ୍ଷା ଇନ୍ଚାର୍ଜ ଭାବେ ତାଙ୍କର କାର୍ଯ୍ୟଦକ୍ଷତା, ଆର୍ଥିକ ଜ୍ଞାନ ଓ ଛାତ୍ରଛାତ୍ରୀଙ୍କ ସହ ସୁମଧୁର ସମ୍ପର୍କକୁ ଉଦାହରଣ ସୃଷ୍ଟି କରିଥିବା ବୋଲି କହିଥିଲେ।ଗଣିତ ବିଭାଗର ପକ୍ଷରୁ ମନୋଜ ସାହୁ ଓ ଲିତୁରଞ୍ଜନ ଖଡ଼ଙ୍ଗା ଡ଼. ଚୌଧୁରୀଙ୍କ ସହ କାମ କରିଥିବା ଅନୁଭବ ବର୍ଣ୍ଣନା କରି ତାଙ୍କୁ ଏକ ପ୍ରେରଣାଦାୟକ ଗୁରୁ ଭାବେ ବର୍ଣ୍ଣନା କରିଥିଲେ।ନିଜ ଅଭିଭାଷଣରେ ଡ଼. ପ୍ରମୋଦ କୁମାର ଚୌଧୁରୀ ୩୩ ବର୍ଷର ମହାବିଦ୍ୟାଳୟ ସେବା ଯାତ୍ରାକୁ ସ୍ମରଣ କରିଥିଲେ। ସେ କଲେଜର ଇତିହାସ, ଆକାଉଣ୍ଟସ୍ ଓ ପରୀକ୍ଷା ବ୍ୟବସ୍ଥାପନା ସମ୍ପର୍କିତ ତାଙ୍କ ଅନୁଭବ ଉପସ୍ଥାପନ କରିବା ସହ ମହାବିଦ୍ୟାଳୟର ସାର୍ବିକ ଉନ୍ନତି ଉପରେ ମନୋନିବେଶ କରିଥିଲେ। ତାଙ୍କ ଭାଷଣରେ ଅନୁଭବ, ଆତ୍ମୀୟତା ଓ ଭବିଷ୍ୟତ ପାଇଁ ଆଶାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା।ସମାରୋହରେ ଉପସ୍ଥିତ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଡ଼. ଚୌଧୁରୀଙ୍କୁ ଭାବବିହ୍ୱଳ ବିଦାୟ ଜଣାଇ ତାଙ୍କର ସୁସ୍ଥ, ସୁଖମୟ ଓ ସମୃଦ୍ଧ ଅବସର ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ତାରାତାରିଣୀ ମହାବିଦ୍ୟାଳୟର ଗଣିତ ବିଭାଗ ବିଭାଗୀୟ ମୂଖ୍ୟ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା।





