ଗଛଡାଳ ଭାଙ୍ଗି ଶିଶୁ ମୁଣ୍ଡରେ ରହିଗଲା କୀଳା।ଆସନ୍ନ ମୣତ୍ଯୁ ମୁଖରୁ ବଞ୍ଚାଇଦେଲେ ଡାକ୍ତରୀଦଳ

Pradeep Kar

ବ୍ରହ୍ମପୁର, ୮/୫(ଅନୁପମ ମିଡିଆ )ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମର ଜଣେ ତିନି ବର୍ଷର ଶିଶୁର ମୁଣ୍ଡ ଉପରେ ଗଛ ଡାଳ ଭାଙ୍ଗି ପଡିଯିବା ପରେ ପ୍ରାୟ ଚାରି ଇଞ୍ଚ୍ ଲମ୍ବର ଏକ କାଠ କୀଳା ଶିଶୁଟିର ମୁଣ୍ଡ ଉପର ମଝି ଭାଗରେ ଲାଖି ହୋଇ ରହି ଯାଇଥିଲା। ଶିଶୁଟିକୁ ପ୍ରଥମେ ଉମରକୋଟ ପରେ ନବରଙ୍ଗପୁର ଏବଂ ସେଠାରୁ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଶିଶୁଟିର ଅବସ୍ଥା ଅତ୍ୟନ୍ତ ବିପଦ ଜନକ ଥିବାରୁ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଶିଶୁଟିକୁ ସ୍ନାୟୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଗତ ୧ ତାରିଖ ଦିନ ଜରୁରୀ ଏବଂ ଯୁଦ୍ଧ କାଳୀନ ଭିତ୍ତିରେ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା। ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡା. ସଂଜୀବ ପାତ୍ର, ଡା. ନିବେଦିତା ସାହୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରବି ନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ତୁଷାର କାନ୍ତ ରଥ, ଡା. ଦେବଶ୍ରୀ ମହାରଣା, ଡା. ପି. ହରି ପ୍ରସାଦଙ୍କୁ ନେଇ ଡାକ୍ତରିଦଳ ଦୀର୍ଘ ଚାରି ଘଣ୍ଟା ଧରି ଅକ୍ଲାନ୍ତ ଉଦ୍ୟମ କରିବା ପରେ ଶିଶୁଟିର ମୁଣ୍ଡରେ ଲାଖିହୋଇ ରହିଥିବା କାଠ କିଳାକୁ ସଫଳତାର ସହ ବାହାର କରିବାକୁ ସକ୍ଷମ ହୋଇଥିଲେ ।ଯାହାଫଳରେ ଆସନ୍ନ ମୃତ୍ୟୁ ମୁଖରୁ ଶିଶୁଟିକୁ ଉଦ୍ଧାର କରାଯାଇ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ଡା. ପଣ୍ଡା କହିଛନ୍ତି।ଅପରପକ୍ଷରେ ଶିଶୁର ଜୀବନ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇଥିବା ଡାକ୍ତରିଦଳର ସମସ୍ତ ସଦସ୍ୟଙ୍କୁ ଶିଶୁଟିର ବାପା ସଂଜିତ ହରିଜନ ତାଙ୍କର କୃତଜ୍ଞତା ଜଣାଇଛନ୍ତି।ପ୍ରକାଶ ଥାଉକି ଗତ ଏପ୍ରିଲ ୨୮ ତାରିଖ ଦିନ ଓମ ହରିଜନ (୩) ନାମକ ଶିଶୁଟି ଘର ସାମନାରେ ଥିବା ଗଛ ମୂଳେ ଖେଳୁଥିବା ବେଳେ ଝଡ଼ ପବନ ଆସି ଏଭଳି ଘଟଣା ଘଟିଥିଲା।

Also Read

Tags