ଓଡ଼ିଶାର ପାରମ୍ପରିକ ଯାତ୍ରା ଉତ୍ସବ ଓ ଭକ୍ତି ସଙ୍ଗୀତ ଜଗତରେ ଏକ ଅଭିନବ ପଦକ୍ଷେପ ନେଇଛି ‘ରାଧାରାଣୀ ପ୍ରଡକ୍ସନ୍ସ’ । ଦୁର୍ବନ୍ଧ ଗାଁର ଠାକୁରାଣୀ ଯାତ୍ରାକୁ ଆଧାର କରି ପ୍ରଡକ୍ସନ୍ସ ପକ୍ଷରୁ ଦୁଇଟି ନୂତନ ଭକ୍ତିମୟ ଭଜନ ‘ବୁଢ଼ୀ ଠାକୁରାଣୀ ଦୁର୍ବନ୍ଧ ବାସିନୀ ଜୟ’ ଏବଂ ‘ଗାଁକୁ ଆସିବେ ମାଆ’ ଲୋକାର୍ପିତ ହୋଇଛି । ଏହି ଦୁଇଟି ଗୀତ ବର୍ତ୍ତମାନ ୟୁ-ଟ୍ୟୁବ୍ରେ ଶ୍ରୋତାମାନଙ୍କ ମନ ଜିତିବାରେ ସଫଳ ହୋଇଛି । କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରି ଗୀତଗୁଡ଼ିକର ସ୍ୱର ଓ ସଙ୍ଗୀତ ସଂଯୋଜନା କରାଯାଇଛି । ପାରମ୍ପରିକ ଭଜନରେ ଏହି ଅତ୍ୟାଧୁନିକ ପ୍ରଯୁକ୍ତିର ସମ୍ମିଳନ ଶ୍ରୋତାଙ୍କୁ ଏକ ନୂତନ ଏବଂ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ।ଏହି ଦୁଇଟି ଗୀତର ଗୀତିକାର ହେଉଛନ୍ତି ପରିଚିତ ଯୁବକବି ପ୍ରଭାତ କୁମାର ସାହୁ । ତାଙ୍କର ଲେଖନୀରେ ମା’ ବୁଢ଼ୀ ଠାକୁରାଣୀଙ୍କ ମହିମା, ଘଟ ପରିଭ୍ରମଣର ପରମ୍ପରା ଏବଂ ମା’ ଙ୍କ ଆଗମନ ପାଇଁ ଗ୍ରାମବାସୀଙ୍କ ଆକୁଳତା ଅତ୍ୟନ୍ତ ଜୀବନ୍ତ ଭାବରେ ରୂପାୟିତ ହୋଇଛି ।’ବୁଢ଼ୀ ଠାକୁରାଣୀ ଦୁର୍ବନ୍ଧ ବାସିନୀ ଜୟ’ ଭଜନରେ ମା’ ଙ୍କୁ ଜଗତଜନନୀ ଏବଂ ଦୁର୍ବନ୍ଧ ଗ୍ରାମର ଅଲିଅଳି ଝିଅ ଭାବେ ଚିତ୍ରିତ କରାଯାଇଛି ।’ଗାଁକୁ ଆସିବେ ମାଆ’ ଗୀତରେ ଶଙ୍ଖ ଓ ହୁଳହୁଳିର ଶବ୍ଦ ସହ ମା’ ଙ୍କ ଆଗମନର ସେହି ଭକ୍ତିମୟ ପରିବେଶକୁ ସୁନ୍ଦର ଭାବେ ସଙ୍ଗୀତରେ ବନ୍ଧାଯାଇଛି ।ରାଧାରାଣୀ ପ୍ରଡକ୍ସନ୍ସର ଏହି ପ୍ରୟାସକୁ ସଙ୍ଗୀତ ପ୍ରେମୀ ଓ ଭକ୍ତମାନେ ବେଶ୍ ପ୍ରଶଂସା କରୁଛନ୍ତି । ପ୍ରଡକ୍ସନ୍ସ ପକ୍ଷରୁ କୁହାଯାଇଛି ଯେ, ଆମର ପରମ୍ପରା ଓ ସଂସ୍କୃତିକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ି ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ । ଦୁର୍ବନ୍ଧ ଗ୍ରାମ ଠାକୁରାଣୀ ଯାତ୍ରା ସମୟରେ ଏହି ଭଜନଗୁଡ଼ିକ ଭକ୍ତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ସଦୃଶ ହୋଇଛି । ଗତକାଲି ମା’ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଗୀତ ଦୁଇଟିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେଇଥିଲା ।ପୂଜା କମିଟି ତରଫରୁ ଗୀତିକାର ପ୍ରଭାତ କୁମାର ସାହୁ, ନାଟ୍ୟକାର ତଥା ଯୁବ ନିର୍ଦ୍ଦେଶକ ନଳିନୀକାନ୍ତ ଗୌଡ଼ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ମା’ ବୁଢ଼ୀଠାକୁରାଣୀ ପୂଜା କମିଟିର ବହୁ ସଦସ୍ୟ ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୁବ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଗ୍ରାମର ସଂସ୍କୃତି ପ୍ରିୟ ଯୁବକ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।




