ବ୍ରହ୍ମପୁର — ଲୋଚାପଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସକ୍ରିୟ ସଦସ୍ୟ ଅଶ୍ୱିନୀ କୁମାର ସାହୁଙ୍କ ଗତ କାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଜଣେ ଚର୍ଚ୍ଚିତ ଯୁବ ରାଜନେତା ଓ ସମାଜ ସେବୀ ରୂପେ ପରିଚିତ ଶ୍ରୀ ସାହୁ କିଛି ଦିନ ହେଲା ଅସୁସ୍ଥ ଥିଲେ ଏବଂ ଶିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ରେ ଚିକିତ୍ସାଧିନ ଥିଲେ। ସେଠାରେ ଗତକାଲି ରାତ୍ର ୧୨.୦୦ ଟା ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ସାହୁ ବିଜୁ ବାବୁ ଉପସ୍ଥିତ ଥିଲେ। ଛାତ୍ର ସଂଗଠନ ଏସଏଫ୍ଆଇରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ରୁପେ ଦାୟିତ୍ୱ ତୁଲାଇବା ସହ ବିଜୁ ଜନତା ଦଳ ସହ ବହୁ ଦିନ ଜଡ଼ିତ ଥିଲେ । ମଲାବେଳକୁ ସେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ଅକାଳ ବିୟୋଗରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି। ଈଶ୍ୱର ତାଙ୍କର ଶୋକସନ୍ତପ୍ତ ପରିବାରକୁ ଏହି ଦୁଃସମୟର ଦୁଃଖ ସହିବାକୁ ଅସୀମ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଏକ ଶୋକ ବାର୍ତ୍ତାରେ କହିଛନ୍ତି। ତାଙ୍କର ନିଧନରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର
ଲୋଚାପଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ କୁମାର ସାହୁଙ୍କ ପରଲୋକ





