ଆମ ପରମ୍ପରାକୁ ନେଇ ଖୁବ୍ ଶୀଘ୍ର ଦର୍ଶକମାନଙ୍କ ସମ୍ମୁଖକୁ ଆସୁଛି ମୟୂରୀ ଏଣ୍ଟଟେନମେଣ୍ଟ ପ୍ରସ୍ତୁତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ହେ ଋଷି ପୁତ୍ରେ”। ଗଞ୍ଜାମର ପ୍ରସିଦ୍ଧ ଲୋକନୃତ୍ୟ ଓ ଆଧ୍ୟାତ୍ମିକ ପରମ୍ପରା ଦଣ୍ଡନାଚ କୁ କେନ୍ଦ୍ର କରି ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେବ ବୋଲି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଶାର ଲୋକକଳା, ଭକ୍ତି ଓ ସଂସ୍କୃତିର ଏକ ଜୀବନ୍ତ ପ୍ରତିଛବି ଭାବେ ପରିଚିତ ଦଣ୍ଡନାଚ କେବଳ ଏକ ନୃତ୍ୟ ନୁହେଁ, ଏହା ଲୋକମାନଙ୍କ ଆସ୍ଥା, ତ୍ୟାଗ ଓ ଭକ୍ତିର ଅଭିବ୍ୟକ୍ତି। ଏହି ପରମ୍ପରାକୁ ଚଳଚ୍ଚିତ୍ର ରୂପରେ ଉପସ୍ଥାପନ କରିବାର ସାହସିକ ପ୍ରୟାସ କରିଛି ମୟୂରୀ ଏଣ୍ଟଟେନମେଣ୍ଟ। ଚଳଚ୍ଚିତ୍ରର କାହାଣୀ ଓ ସଂଳାପର ଦାୟିତ୍ୱରେ ଅଛନ୍ତି ଯୁବ ସାହିତ୍ୟିକ ଓ ଲେଖକ କାହ୍ନୁ ଚରଣ ଗୌଡ଼, ଯିଏ ନିଜର ସୃଜନଶୀଳ ଲେଖନୀ ଦ୍ୱାରା ଗାଁ ମାଟିର ଭାବନା, ଆଧ୍ୟାତ୍ମିକତା ଓ ସମାଜିକ ସନ୍ଦେଶକୁ ପରଦାରେ ଜୀବନ୍ତ କରିବାକୁ ପ୍ରୟାସ କରିଛନ୍ତି। ସେହିପରି ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଛନ୍ତି ଯୁବ ନିର୍ଦ୍ଦେଶକ ସଚିନ ରାଉଳ, ଯିଏ ଏହି କାହାଣୀକୁ ଦୃଶ୍ୟମାନ ରୂପ ଦେବା ପାଇଁ ନିଜର ସୃଜନଶୀଳ ପ୍ରତିଭାକୁ ନିବେଶ କରିଛନ୍ତି।
ଆଜି ପବିତ୍ର ପୀଠ ମାଆ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚନ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମାଆଙ୍କ ଆଶୀର୍ବାଦକୁ ସାକ୍ଷୀ ରଖି ଆୟୋଜିତ ଏହି ପୋଷ୍ଟର ଉନ୍ମୋଚନ ଅବସରରେ ବହୁ ଭକ୍ତ, ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, କଳାପ୍ରେମୀ ଓ ପୂଜକମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଶଙ୍ଖଧ୍ୱନି, ହରିବୋଲ ଓ ଭକ୍ତିମୟ ପରିବେଶ ମଧ୍ୟରେ ପୋଷ୍ଟର ଉନ୍ମୋଚନ କରାଯାଇଥିଲା, ଯାହା ସମଗ୍ର କାର୍ଯ୍ୟକ୍ରମକୁ ଏକ ଆଧ୍ୟାତ୍ମିକ ଛବି ପ୍ରଦାନ କରିଥିଲା।
ଚଳଚ୍ଚିତ୍ର “ହେ ଋଷି ପୁତ୍ରେ” କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଗଞ୍ଜାମର ଲୋକସଂସ୍କୃତି, ପରମ୍ପରା ଓ ଭକ୍ତିର ଗୌରବକୁ ନୂତନ ପିଢ଼ୀ ସମ୍ମୁଖରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦଣ୍ଡନାଚର ଅଲୌକିକ ମାହାତ୍ମ୍ୟ ଓ ଗାଁ ମାଟିର ଆତ୍ମାକୁ ଜୀବନ୍ତ କରାଯିବ ବୋଲି ସମସ୍ତଙ୍କ ମନରେ ଅପାର ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି
ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ହେ ଋଷି ପୁତ୍ରେ”ଉନ୍ମଚନ





