କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ପଣ୍ଡିତ ଶିରୋମଣି କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସ୍ମୃତି ସମାରୋହ

Pradeep Kar

ବ୍ରହ୍ମପୁର, ୧୭l0୫ : ଦକ୍ଷିଣାଞ୍ଚଳର ସ୍ବନାମଧନ୍ୟ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ପଣ୍ଡିତ ଶିରୋମଣି କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସ୍ମୃତି ସମାରୋହ ଏକ ଭବ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଏହି ସ୍ମୃତି ସମାରୋହରେ ପୌରୋହିତ୍ୟ କରିଥିଲେ l ବିଶିଷ୍ଟ ବାଗ୍ମୀ ରାଜନୀତି ବିଜ୍ଞାନ ବିଶାରଦ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟଅତିଥି ରୂପେ ଯୋଗଦେଇ କବିରାଜ ପଣ୍ଡିତ ଅନନ୍ତ ତ୍ରିପାଠୀଶର୍ମାଙ୍କ ବହୁମୁଖୀ ମହନୀୟ ବ୍ୟକ୍ତିତ୍ୱ ଓ ରାଜନୀତିକ ଜୀବନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହନ୍ତ ହରିହର ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ମୃତି-ବକ୍ତବ୍ୟ ପ୍ରଦାନ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଶିରୋମଣିଙ୍କ ବହୁଶାସ୍ତ୍ରଦର୍ଶିତା, ପାଣ୍ଡିତ୍ୟ, ପ୍ରଜ୍ଞା, ସାହିତ୍ୟ କୃତି, ଅନୁବାଦ, ଟୀକା ଗ୍ରନ୍ଥ ପ୍ରଣୟନ, ପତ୍ରିକା ସମ୍ପାଦନା, ଅଧ୍ୟାପନା, ରାଜନୀତି ସଂପର୍କରେ ତଥ୍ୟପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ବକ୍ତା ରୂପେ ଗଞ୍ଜାମ ସଂସ୍କୃତିର ଜଣାଶୁଣା ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ପଣ୍ଡିତ ଶିରୋମଣି କବିରାଜ ଅନନ୍ତ ତ୍ରିପାଠୀଶର୍ମାଙ୍କ ସାରସ୍ୱତ କୃତି, ଆୟୁର୍ବେଦ ଜ୍ଞାନ ଓ ଅଧ୍ୟାପନା ଜୀବନ ବିଷୟରେ କହିଥିଲେ l ଏହି ସମାରୋହରେ କଳିଙ୍ଗ ସାହିତ୍ୟ ସମାଜର ତ୍ରୟ-ମାସିକ ପତ୍ରିକା ‘କଳିଙ୍ଗର ସ୍ୱର’ର ମହାବିଷୁବ ସଂଖ୍ୟା ଅତିଥିମାନଙ୍କ କରକମଳରେ ଲୋକାର୍ପଣ କରାଯାଇଥିଲା l ଅନୁରୂପ ଭାବରେ ମହନ୍ତ ହରିହର ଦାସଙ୍କ ଦ୍ୱାରା ପ୍ରସ୍ତୁତ ‘ପଣ୍ଡିତ ଶିରୋମଣି କବିରାଜ ଅନନ୍ତ ତ୍ରିପାଠୀଶର୍ମା’ ଜୀବନୀ ପୁସ୍ତିକା ଏବଂ କନିଷି ବିଶ୍ୱନାଥ ଉଚ୍ଚ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ରଙ୍କ ବିରଚିତ କବିତା ସଂକଳନ ‘ସ୍ମରଣିକା’ର ଅନାବରଣ କରାଯାଇଥିଲା l ସାହିତ୍ୟ ସମାଜ କାର୍ଯ୍ୟକାରିଣୀର ବରିଷ୍ଠ ସଦସ୍ୟ ଡ. କୁଳମଣି ଓଝା ଏହି ସ୍ମୃତି ସମାରୋହର ସଂଚାଳନା କରିଥିଲେ l କୋଷାଧ୍ୟକ୍ଷ ଡ. କୃଷ୍ଣ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ହୃଷୀକେଶ ପଣ୍ଡା ମଞ୍ଚ ଆମନ୍ତ୍ରଣ କରିଥିଲେ l ଡ. ଅଶୋକ କୁମାର ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l କବି ମନୋରଞ୍ଜନ ପାଣିଗ୍ରାହୀ, ଅନୁପ କୁମାର ମିଶ୍ର, ଡ. ମନୋରଞ୍ଜନ ବିଷୋୟୀ, ଡ. ସୁଜିତ୍ କୁମାର ପଣ୍ଡା, ଦିନବନ୍ଧୁ ଶ୍ରୀପଲ୍ଲଵ ଓ ନଳିନୀକାନ୍ତ ଗୌଡ଼ ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ l ଏହି ସ୍ମୃତି ସମାରୋହରେ ଡ. ସୂଚନା ପାଢ଼ୀ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବିରୂପାକ୍ଷ ଦାଶ, ପ୍ରମୋଦ କୁମାର ପଣ୍ଡା, ପଣ୍ଡିତ ବିଦ୍ୟାଧର ଦାଶ, ଡା. ଶିଶିର କୁମାର ମିଶ୍ର, ଡ. ସୁବ୍ରତ କୁମାର ସାହୁ, ବଂଶୀଧର ସେଠୀ, ହରେକୃଷ୍ଣ ପଣ୍ଡା, ଡ. ନୃସିଂହାନନ୍ଦ ଶାସମଲ୍, ଶରତ କୁମାର ଦାସ ପ୍ରମୁଖ ସ୍ମୃତି ଶବ୍ଦାର୍ଘ୍ୟ ଅର୍ପଣ କରିଥିଲେ l

Also Read

Tags