ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ ବିକ୍ରିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ

Pradeep Kar

ବ୍ରହ୍ମପୁର, 17/05/26 : ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। *ଅନେକ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପେଟ୍ରୋଲ ଥିଲେ ମଧ୍ୟ “ପେଟ୍ରୋଲ ନାହିଁ” ବୋଲି ଗ୍ରାହକଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଲଗାତାର ଆସୁଛି।* କେତେକ ସ୍ଥାନରେ ଗାଡ଼ି ଚାଳକମାନେ ଦୀର୍ଘ ସମୟ ଧରି ଲାଇନରେ ରହିବା ପରେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଏହାଠାରୁ ମଧ୍ୟ ଅଧିକ ଚିନ୍ତାଜନକ ବିଷୟ ହେଉଛି *ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ ବିକ୍ରି ନେଇ ଉଠୁଥିବା ପ୍ରଶ୍ନ।* ଅନେକ ଗାଡ଼ି ଚାଳକଙ୍କ ଅଭିଯୋଗ, ଇନ୍ଧନ ଭରିବା ପରେ ଗାଡ଼ିର ଇଞ୍ଜିନରେ ସମସ୍ୟା, ମାଇଲେଜ କମିଯିବା ଓ ଯାନ୍ତ୍ରିକ ତ୍ରୁଟି ବଢ଼ୁଛି। ଏହା ଗ୍ରାହକଙ୍କ ଜୀବନ ଓ ସମ୍ପତ୍ତି ସହ ସିଧାସଳଖ ଖେଳ ନୁହେଁ କି? । *ସବୁଠାରୁ ଦୁଃଖଦ ବିଷୟ ହେଲା,* ଏତେ ସବୁ ଅଭିଯୋଗ ଓ ଚର୍ଚ୍ଚା ସତ୍ତ୍ୱେ ମଧ୍ୟ *ପ୍ରଶାସନ ଓ ଯୋଗଣ ବିଭାଗର ନୀରବତା।* ଯେଉଁ ବିଭାଗର କାମ ହେଉଛି ନିୟମିତ ଯାଞ୍ଚ କରି ଲୋକଙ୍କୁ ସୁରକ୍ଷିତ ଓ ଶୁଦ୍ଧ ଇନ୍ଧନ ଯୋଗାଇବା, ସେହି ବିଭାଗ ଏବେ ନିର୍ବାକ ଦର୍ଶକ ପାଳଟିଛି। *ଯଦି ପେଟ୍ରୋଲ ପମ୍ପରେ ପ୍ରକୃତରେ ଇନ୍ଧନ ଅଭାବ ନାହିଁ, ତେବେ କାହିଁକି ଗ୍ରାହକଙ୍କୁ ଭୁଲ ସୂଚନା ଦିଆଯାଉଛି? କାହିଁକି ଅପମିଶ୍ରିତ ଇନ୍ଧନ ବିକ୍ରି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ?* ସାଧାରଣ ଲୋକଙ୍କ ଦୈନିକ ଜୀବନ ସହ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ସଚେତନ ହେବା ଆବଶ୍ୟକ। *ପ୍ରଶାସନ ତୁରନ୍ତ ଛାପାମାରି, ଗୁଣବତ୍ତା ଯାଞ୍ଚ ଓ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇ* ସତ୍ୟକୁ ସାମ୍ନାକୁ ଆଣନ୍ତୁ।

Also Read

Tags