ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର ଆଜି ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ସାମାଜିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କିଞ୍ଜରାପୁ ରାମମୋହନ ନାୟଡୁଙ୍କୁ ସାକ୍ଷାତ କରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍କୁ ଏକ ପୂର୍ଣ୍ଣାଙ୍ଗ ବାଣିଜ୍ୟିକ ବିମାନବନ୍ଦରରେ ଉନ୍ନତ କରି “ବ୍ରହ୍ମପୁର ବିମାନବନ୍ଦର” ଭାବେ ବିକଶିତ କରିବା ପାଇଁ ଦାବି ଜଣାଇଛନ୍ତି।ଏନେଇ ଡ଼ଃ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପତ୍ରରେ ସେ ଦକ୍ଷିଣ ଓଡ଼ିଶାରେ ଦୀର୍ଘଦିନ ଧରି ବିମାନ ସେବା ଅଭାବ ଓ ଯାତାୟାତ ସଂଯୋଗର ସମସ୍ୟା ଉଲ୍ଲେଖ କରିଛନ୍ତି। ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଭଳି ଜିଲ୍ଲାଗୁଡ଼ିକ ଆର୍ଥିକ, ଶିକ୍ଷା, ପର୍ଯ୍ୟଟନ ଓ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଯଥେଷ୍ଟ ବିମାନ ସଂଯୋଗରୁ ବଞ୍ଚିତ ରହିଛନ୍ତି ବୋଲି ସେ କହିଛନ୍ତି।ଡ଼ଃ ପାତ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍କୁ UDAN ଯୋଜନା ଅଧୀନରେ ପୂର୍ବରୁ ଚିହ୍ନଟ କରାଯାଇଥିଲା ଏବଂ ୨୦୨୩ ମସିହାରେ ଏଠାରୁ ଆଞ୍ଚଳିକ ବିମାନ ସେବା ମଧ୍ୟ ଆରମ୍ଭ ହୋଇଥିଲା। ସେ ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଏକାଧିକ ଥର ଉଠାଇଥିବା ସହିତ ଦକ୍ଷିଣ ଓଡ଼ିଶାର ଦୀର୍ଘମିଆଦୀ ଉନ୍ନତି ପାଇଁ ଏହାର ଗୁରୁତ୍ୱ ଉଲ୍ଲେଖ କରିଥିଲେ।ସେ କହିଛନ୍ତି ଯେ, ଏକ ପୂର୍ଣ୍ଣାଙ୍ଗ “ବ୍ରହ୍ମପୁର ବିମାନବନ୍ଦର” ସ୍ଥାପିତ ହେଲେ ଦକ୍ଷିଣ ଓଡ଼ିଶାରେ ପର୍ଯ୍ୟଟନ, ଶିଳ୍ପ, MSME, ସାମୁଦ୍ରିକ ରପ୍ତାନି, ଚିକିତ୍ସା ସେବା ଓ ବିପଦ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ। ବିଶେଷ କରି ଗୋପାଳପୁର ସମୁଦ୍ରତଟ ଓ ସମଗ୍ର ଦକ୍ଷିଣ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଏହା ମାଧ୍ୟମରେ ଅଧିକ ଗତି ପାଇବ।ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡ଼ଃ ପାତ୍ରଙ୍କ ପ୍ରସ୍ତାବକୁ ଗୁରୁତ୍ୱ ସହ ଶୁଣିଥିବା ସହ ଏହାକୁ ସକାରାତ୍ମକ ଭାବେ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିବା ସୂଚନା ମିଳିଛି।
ଦକ୍ଷିଣ ଓଡ଼ିଶା ପାଇଁ “ବ୍ରହ୍ମପୁର ବିମାନବନ୍ଦର” ଦାବିକୁ ନେଇ କେନ୍ଦ୍ର ସାମାଜିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର





