ବ୍ରହ୍ମପୁର, ତା.19.05.2026ରିଖ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ପ୍ରାଙ୍ଗଣରେ ସେବାକେନ୍ଦ୍ରର 48 ତମ ସ୍ବନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଚଳିତ ବର୍ଷର ମୁଖ୍ୟ ବିଷୟ-’ଆଧ୍ୟାତ୍ମିକ ଜାଗରଣ ଦ୍ବାରା ବିଶ୍ବ ନବନିର୍ମାଣ” ସମ୍ପର୍କରେ ଆଲୋଚନା କରାଯାଇଥିଲା । ବ୍ରହ୍ମାକୁମାରୀସ୍ ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ଆମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କୁ 48ତମ ସ୍ବନକ୍ଷତ୍ର ଦିବସ ପାଳନର ଶୁଭାଭିନନ୍ଦନ ଜ୍ଞାପନ ସହ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ପୂର୍ବକ ସମାଜର ସମସ୍ତ ବର୍ଗର ଉତ୍ସର୍ଗୀକୃତ ସାଧକମାନଙ୍କ ସହଯୋଗରେ ବର୍ତ୍ତମାନ ସୃଷ୍ଟିର ଚାରିତ୍ରିକ ସଙ୍କଟ ସମୟରେ ଏହି ଈଶ୍ବରୀୟ ବିଶ୍ବବିଦ୍ୟାଳୟ ନିଶ୍ଚିତ ବିଶ୍ବନବନିର୍ମାଣ ଦିଶାରେ ସହାୟକ ହୋଇପାରିବ ବୋଲି କହିଥିଲେ । ସେ ପୁଣି କହିଥିଲେ ଯେ ପ୍ରତ୍ୟେକ ଜନସାଧାରଣ ବର୍ତ୍ତମାନର ପରିସ୍ଥିତିରେ ନକାରାତ୍ମକ ବିଚାର ପରିତ୍ୟାଗ ପୂର୍ବକ ସକାରାତ୍ମକତାର ଧାରଣ ଦ୍ବାରା ଅସମ୍ଭବକୁ ସମ୍ଭବ କରି ସମାଜର ଦୁଃଖକଷ୍ଟକୁ ନିବାରଣ କରିପାରିବେ । ବ୍ରହ୍ମାକୁମାରୀ ପ୍ରଭାତି ଶାନ୍ତିକୁଣ୍ଡର 48ତମ ସ୍ବନକ୍ଷତ୍ର ଦିବସ ପାଳନର ସମ୍ୟକ ବିବରଣୀ ପ୍ରଦାନ ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ଆତ୍ମା ସତ୍ୟ ଗୁଣର ଧାରଣ ଏବଂ ଦିବ୍ୟଶକ୍ତିର ଅନୁଭବ ଆଧାରରେ ପରମାତ୍ମାଙ୍କୁ ଅନୁଭୂତି କରିବା ତଥା ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା ନିଶ୍ଚିତ ରୂପେ କଲ୍ୟାଣକାରୀ ବିବେଚନା କରିବା ହିଁ ବାସ୍ତବିକ ଆଧ୍ୟାତ୍ମିକ ଜାଗରଣ ଅଟେ । ଏପରି ପ୍ରତ୍ୟେକ ଆତ୍ମାଙ୍କ ଆଧ୍ୟାତ୍ମିକ ଜାଗରଣ ଅର୍ଥାତ ଗୁଣ ଏବଂ ଶକ୍ତିର ପ୍ରକମ୍ପନ ତଥା ପ୍ରତିଫଳନ ଦ୍ବାରା ସମାଜ ସଠିକ ଦିଶାରେ ପରିଚାଳିତ ହୋଇ ପରିଶେଷରେ ବିଶ୍ବ ନବନିର୍ମାଣରେ ସହାୟକ ହୋଇପାରିବ। ବ୍ରହ୍ମାକୁମାରୀ ସୁଜାତା ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରିଥିବା ବେଳେ ବ୍ରହ୍ମାକୁମାରୀ କସ୍ତୁରୀ ରାଜଯୋଗ ଅଭ୍ୟାସ ଦ୍ବାରା ପବିତ୍ରତା, ସୁଖ ଶାନ୍ତିର ଗହନ ଅନୁଭୂତି କରାଇଥିଲେ । ବ୍ରହ୍ମାକୁମାରୀ ଅର୍ଚ୍ଚନା ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସଂକ୍ଷିପ୍ତ ପରିଚୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ସୁପରିଚାଳନା କରିଥିଲେ । ପରିଶେଷରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଶୁଭଙ୍କାକ୍ଷୀ ତଥା ସହଯୋଗୀ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଭ୍ରାତା ଅଜିତ କୁମାର ମହାପାତ୍ର ଏବଂ ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରଫୁଲ୍ଲ ଦାଶ ନିଜ ଶୁଭକାମନାରେ କାମ, କ୍ରୋଧାଦି ପାଞ୍ଚବିକାରକୁ ପରିତ୍ୟାଗ ପୂର୍ବକ ଆଧ୍ୟାତ୍ମିକ ଚିନ୍ତାଧାରା ସମ୍ପନ୍ନ ହେବା ସକାଶେ ପ୍ରେରଣାପ୍ରଦାନ ସହ ଉକ୍ତ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଏହିପରି ଉଚ୍ଚସ୍ତରୀୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରର ସମସ୍ତ ଆଧ୍ୟାତ୍ମିକ ପୀଠ, ମଠ, ମନ୍ଦିରର ଟ୍ରଷ୍ଟି, ପୂଜକ, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସଭାପତି ତଥା ସମ୍ପାଦକ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିଗଣ ଅଂଶଗ୍ରହଣ କରିଥିଲେ ।
ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ସେବାକେନ୍ଦ୍ରର 48ତମ ସ୍ବନକ୍ଷତ୍ର ଉତ୍ସବ ପାଳିତ





