ବ୍ରହ୍ମପୁର, ତା. ୨୩.୦୫.୨୬ : ଓଡ଼ିଶାରେ ୩ଟି ଜାତୀୟ ସ୍ତରୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଜାତୀୟ ଔଷଧ ଶିକ୍ଷା ଓ ଗବେଷଣା ସଂସ୍ଥା “ନାଇପର୍” (NIPER) ସ୍ଥାପନ ଦାବିରେ ଓଡିଶା ଡେଭେଲପମେଣ୍ଟ ଫୋରମ ଓ ବିଭିନ୍ନ ଗଣସଂଗଠନଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରା ଖଲ୍ଲିକୋଟ ୟୁନିଭର୍ସିଟି ଷ୍ଟାଡିଅମ୍ ଠାରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରା ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରେ ରାଜ୍ୟ ତଥା ସମଗ୍ର ପୂର୍ବ ଭାରତର ସର୍ବପ୍ରାଚୀନ ଏବଂ ପ୍ରଥମ ଫାର୍ମାସି ପ୍ରତିଷ୍ଠାନ ଅବସ୍ଥିତ ଅଛି। ତେଣୁ ଏଠାରେ ଜାତୀୟ ସ୍ତରର ଫାର୍ମାସି ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ସ୍ଥାପନ ପାଇଁ ଆବଶ୍ୟକ ଇକୋ-ସିଷ୍ଟମ୍ ପୂର୍ବରୁ ଉପଲବ୍ଧ ଅଛି। ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ରୂପେ “ନାଇପର୍” ସ୍ଥାପନ ପ୍ରସଙ୍ଗ ସର୍ବଦା ଉଠିଆସୁଛି।ଗତ କିଛିଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ବ୍ରହ୍ମପୁରରେ NIPER ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ, ଯାହାକୁ ଲୋକେ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଦେଖିଛନ୍ତି। ଏହା ସହିତ ଓଡ଼ିଶା ଡେଭେଲପ୍ମେଣ୍ଟ ଫୋରମ୍ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ଜେ. ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଳିଙ୍ଗଙ୍କୁ ବାରମ୍ବାର ସ୍ମାରକପତ୍ର ପ୍ରଦାନ କରାଯାଇଛି।ବର୍ତ୍ତମାନ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗୋପାଳପୁରକୁ ରାଜ୍ୟର ଫାର୍ମା କ୍ଲଷ୍ଟର ଭାବେ ବିକଶିତ କରିବାରେ ଗୁରୁତ୍ୱ ଦେଉଛନ୍ତି। ଅନେକ କମ୍ପାନୀ ଗୋପାଳପୁରରେ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ “ନାଇପର୍” ସ୍ଥାପନ ହେଲେ ଫାର୍ମା ଇକୋସିଷ୍ଟମ୍ ଆହୁରି ସୁଦୃଢ଼ ହେବା ସହ ଛାତ୍ରଛାତ୍ରୀମାନେ ସିଧାସଳଖ ଲାଭାନ୍ବିତ ହେବେ।ବ୍ରହ୍ମପୁରରୁ ପ୍ରତିବର୍ଷ ଶତାଧିକ ଛାତ୍ରଛାତ୍ରୀ ଫାର୍ମା କ୍ଷେତ୍ରରେ ଶିକ୍ଷାଲାଭ କରି ରାଜ୍ୟ ବାହାରର ବିଭିନ୍ନ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଅଛନ୍ତି। ତେଣୁ ବ୍ରହ୍ମପୁରରେ “ନାଇପର୍” ସ୍ଥାପିତ ହେଲେ ସେମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ନିଯୁକ୍ତି ସହ ଗବେଷଣାର ବ୍ୟାପକ ସୁଯୋଗ ସୃଷ୍ଟି ହେବ।ଏହାଛଡ଼ା ବ୍ରହ୍ମପୁର ସହର ସଡ଼କ, ରେଳ ଓ ବିମାନ ସେବା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳ ସହ ସୁସଂଯୁକ୍ତ। ରଙ୍ଗେଈଲୁଣ୍ଡା ଏୟାରପୋର୍ଟରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି। ତେଣୁ ବ୍ରହ୍ମପୁରରେ “ନାଇପର୍” ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡ଼ିଶା ପ୍ରତି ଦୀର୍ଘଦିନ ଧରି ଚାଲିଆସୁଥିବା ଆଞ୍ଚଳିକ ବୈଷମ୍ୟ କମିବ ଏବଂ ଏହି ଅଞ୍ଚଳର ଦୀର୍ଘଦିନର ଦାବି ପୂରଣ ହେବ।ବକ୍ତାମାନେ କହିଥିଲେ ଯେ ଓଡ଼ିଶା ସରକାର ପ୍ରାୟ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନକୁ ଭୁବନେଶ୍ୱର କିମ୍ବା କଟକରେ କେନ୍ଦ୍ରୀଭୂତ କରୁଛନ୍ତି। ତେଣୁ ଦକ୍ଷିଣ ଓଡ଼ିଶା ପ୍ରତି ହେଉଥିବା ଅନ୍ୟାୟକୁ ଦୂର କରି ବ୍ରହ୍ମପୁରରେ “ନାଇପର୍” ସ୍ଥାପନ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଡେଭେଲପମେଣ୍ଟ ଫୋରମ ସଚିବ ଭି. ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ପ୍ରବୀଣ ପଟ୍ଟନାୟକ, ମାନସ ପାତ୍ର, ଦକ୍ଷିଣ ଓଡ଼ିଶା ଛାତ୍ର ସଂଘ (ସୋସା) ସଭାପତି ନରସିଂହ ନୀଳମାଧବ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମର୍ଥନ କରି ଗଂଜାମ ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଓ ଛାତ୍ରୀ, ବୁଦ୍ଧିଜୀବୀ, ଅନ୍ୟାନ୍ୟ ଫାର୍ମାସ୍ୟୁଟିକାଲ ସଂଘ ତରଫରୁ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା ଏବଂ ଏଥିସହିତ ବିଭିନ୍ନ ଗଣସଂଗଠନର କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଡ.ସଂଜୀବ କୁମାର ସୁବୁଦ୍ଧି, ପ୍ରକାଶ ଚନ୍ଦ୍ର ଭଜାନୀ,ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ସନ୍ତୋଷ ସାହୁ, କିରଣ କୁମାର ପଣ୍ଡା, ଭି. ନେହାଲ, ରୋହନ କୁମାର, ସଂସାର ଅନୁଷ୍ଠାନର ରମେଶ ଚନ୍ଦ୍ର ସାହୁ, ରୟାଲ କଲେଜ ଅଫ୍ ଫାର୍ମାସୀର ପ୍ରାଧ୍ୟାପକ ଡ଼.ଅଞ୍ଜନ କୁମାର ମହାପାତ୍ର, ଡ଼.ମଧୁସ୍ମୃତି ଖଣ୍ଡାଇ, ଓଡିଶା ଅଭିଭାବକ ମହାସଂଘର ପ୍ରମୁଖ ମଧୁସୂଦନ ସାହୁ, ରବୀନ୍ଦ୍ର କୁମାର ନାୟକ, ସ୍ଵରାଜ୍ୟ ସୁବୁଦ୍ଧି, ସମାଜସେବୀ ପ୍ରଶାନ୍ତ କୁମାର ପଣ୍ଡା, ସମାଜସେବୀ ଆଦିତ୍ୟ ରଥ, ସୋସା ସଦସ୍ୟ ସୁଭାଶିଷ ଦାସ, ପପୁନ ସାହୁ, ଶିକ୍ଷା ଗବେଷଣା କେନ୍ଦ୍ରର କେଦାର ନାଥ ପଣ୍ଡା, ଦେବଦତ୍ତ ଦେଓ, ବାସୁଦେବ ପଣ୍ଡା, ଅରୁଣ ସାହୁ, ରମେଶ ଚନ୍ଦ୍ର ସାହୁ, ହୃଷିକେଶ ପାତ୍ର, ଅଶୋକ ଦଳାଇ, ଏ. ଗୋବିନ୍ଦ ରାଓ, ହରି ଲାଫିଙ୍ଗ ଯୋଗ କ୍ଲବର ସଦସ୍ୟମାନେ ଯଥା ଜେ. ସୂର୍ଯ୍ୟନାରାୟଣ, ବି. ୱେଙ୍କଟ, ଏସ୍. ସତ୍ୟନାରାୟଣ, ଏସ୍. ନାଗେଶ୍ୱର, ଭି. ପଦ୍ମନାଭ ରାଓ, ମନୋଜ ପାତ୍ର, ମୋହନ ରାଓ, ଅଙ୍କନେୟୁଲି, ଭାଗିତାଘି ପାତ୍ର, ପ୍ରଦୀପ ପାତ୍ର, ନ୍ୟାଚୁରାଲ ଭାଇ, କୋଟା ମାଧବ, ବଦ୍ରି ସୁବୁଦ୍ଧି, ସବ୍ୟସାଚୀ ପଣ୍ଡା, ଜେ ସୁରେଶ, ମହାରଣା ବାବୁ, ଭାସ୍କର ବାଙ୍ଗାରୀ, ଏସ୍. ସତ୍ୟବତୀ, ଗୌରୀ, ମୁନ୍ଦ୍ରା, ଏ. ରମେଶ ପାତ୍ର, ଏଲ୍.ଏସ୍. ଧର୍ମା ରାଓ, କେ. ଚନ୍ଦ୍ର କୁମାର ପାତ୍ର, ଏସ. ଲକ୍ଷ୍ମୀ ନାରାୟଣ, ଲେଡିଜ୍ ୱାକର୍ ଗ୍ରୁପ୍, ମାରୱାଡ଼ି ଗ୍ରୁପ୍ ସହ ବହୁ କାର୍ଯ୍ୟକର୍ତ୍ତା ଓ ସଂଗଠନ ଉପସ୍ଥିତ ଥିଲେ।
ବ୍ରହ୍ମପୁରରେ “ନାଇପର୍” ପ୍ରତିଷ୍ଠା ଦାବିରେ ବିଶାଳ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା





