ଏସ୍. ଆଇ.ଆର୍ ନେଇ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ବାର୍ତ୍ତା

Pradeep Kar

ଗଞ୍ଜାମବାସୀଙ୍କୁ ମୋର ନମସ୍କାର । ଆପଣମାନେ ଜାଣିଛନ୍ତି ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ୍. ଆଇ.ଆର୍ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏସ୍. ଆଇ.ଆର୍ ର ଉଦ୍ଦେଶ୍ଯ ହେଲା “ଯୋଗ୍ଯ ବ୍ଯକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ଯ ବ୍ଯକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା”। ଚଳିତ ମେ ମାସ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ପର୍ଯ୍ଯନ୍ତ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ବି.ଏଲ୍.ଓ ମାନେ ଭୋଟରମାନଙ୍କ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ (Enumeration Form) ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍‌ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ । ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ରେ ଅପଲୋଡ୍ କରିପାରିବେ । ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଏହାସହ ନୂଆ ନିର୍ବାଚକ ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ।ଏହି ପରିଗଣନା ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଣ୍ଟ) ସଂଗ୍ରହ କରିବାର ଆବଶ୍ୟକତା ନାହିଁ । ମୋର ଆପଣମାନଙ୍କୁ ଅନୁରୋଧ ଯେତେବେଳେ ବି.ଏଲ୍.ଓ ମାନେ ଆପଣମାନଙ୍କ ପାଖକୁ ତଥ୍ୟ ସଂଗ୍ରହ କରିବାକୁ ଯିବେ ସେମାନଙ୍କୁ ସଠିକ ତଥ୍ୟ ଦେବା ସହିତ ପୂର୍ଣ୍ଣ ସହଯୋଗ କରିବେ । ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ । ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପଣମାନେ ନାଁ କାହିଁକି କଟିଲା ବା ଅନ୍ୟାନ୍ୟ ଦାବି ଓ ଆପତ୍ତି ଦାଖଲ କରିପାରିବେ । ଦାବି ଓ ଆପତ୍ତିର ନିଷ୍ପତ୍ତି ଇ.ଆର୍.ଓ. ମାନେ ୦୨ ସେପ୍ଟେମ୍ବର ସୁଦ୍ଧା ନେବେ ତା’ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏସ୍. ଆଇ.ଆର୍ ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଆପଣମାନେ ନିକଟସ୍ଥ ବି.ଏଲ୍.ଓ ଙ୍କୁ ଅଥବା voters.eci.gov.in କିମ୍ବା ECINET ଆପ ତା ସହିତ ୧୯୫୦ ଟୋଲ ଫ୍ରୀ ନମ୍ବରର ମଧ୍ୟ ସାହାଯ୍ୟ ନେଇପାରିବେ । ଏସ୍. ଆଇ.ଆର୍ ସମୟରେ ବି.ଏଲ୍.ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଆଉଥରେ ଅନୁରୋଧ କରୁଛି ।

Also Read

Tags