ମହିଳାମାନଙ୍କ ପାଇଁ କୁକୁଡାଖଣ୍ଡିରେ ସଖୀ ନିବାସଏଠି ରହିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ କରିବେ ଆବେଦନ ଛତ୍ରପୁର ତା 02 /୦୬/୨୦୨୬ ମହିଳାମାନଙ୍କ ସୁବିଧା ନିମନ୍ତେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ଠାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ୧୦୦ ଶଯ୍ୟା ବିଶିଷ୍ଟ ‘ସଖୀ ନିବାସ’ରେ ଉପଲବ୍ଧ ରହିଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏହି ସୁବିଧା ନେବା ପାଇଁ ମହିଳାମାନଙ୍କୁ ଅନୁରୋଧ କରାଯାଇଛି । ଏହି ସଖୀ ନିବାସରେ ବର୍ତ୍ତମାନ ୦୯ଟି ଏକକ, ୨୮ଟି ଦୁଇଜଣିଆ ଏବଂ ୦୯ଟି ବହୁଜନ ରହିବା କୋଠରୀ ଖାଲି ଅଛି। ଅନ୍ତେବାସୀମାନଙ୍କ ସୁବିଧା ପାଇଁ ଏଠାରେ ମନୋରଞ୍ଜନ କକ୍ଷ, ପରିଦର୍ଶକ କକ୍ଷ, ବିଶୁଦ୍ଧ ପାନୀୟ ଜଳ, ରୋଷେଇ ଓ ଖାଇବା ଘର, ସଂଲଗ୍ନ ତଥା ସାଧାରଣ ଶୌଚାଳୟ, ଷ୍ଟୋର୍ ରୁମ୍, ପ୍ରାଥମିକ ଚିକିତ୍ସା ବାକ୍ସ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରପାତି ସମେତ ସିସିଟିଭି ନିରୀକ୍ଷଣ ଏବଂ ୨୪x୭ ଘଣ୍ଟିଆ ସୁରକ୍ଷା ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥାମାନ ଉପଲବ୍ଧ ରହିଛି ।ନିଜ ପରିବାର ଠାରୁ ଦୂରରେ ତଥା ସମାନ ସହର ବା ଅଞ୍ଚଳରେ ରହୁନଥିବା ଅବିବାହିତ, ବିଧବା, ଛାଡ଼ପତ୍ର ପ୍ରାପ୍ତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହାର ସୁବିଧା ନେଇପାରିବେ । ଏହାବ୍ୟତୀତ, ନିଜ ପିଲା (୧୮ ବର୍ଷ ପର୍ଯ୍ୟନ୍ତ ଝିଅ ଓ ୧୨ ବର୍ଷ ପର୍ଯ୍ୟନ୍ତ ପୁଅ)ଙ୍କ ସହ ରହୁଥିବା କର୍ମଜୀବୀ ମା’ ଏବଂ ଚାକିରି ପ୍ରଶିକ୍ଷଣ ନେଉଥିବା ମହିଳାମାନେ (ହଷ୍ଟେଲ କ୍ଷମତାର ସର୍ବାଧିକ ୩୦% ଭିତ୍ତିରେ କେବଳ ୧ ବର୍ଷ ପର୍ଯ୍ୟନ୍ତ) ମଧ୍ୟ ଏଠି ରହିବା ପାଇଁ ଆବେଦନ କରିପାରିବେ। ତେବେ ଏହି ପ୍ରକ୍ରିୟାରେ ଅନଗ୍ରସର ଶ୍ରେଣୀ ଓ ଶାରୀରିକ ଭିନ୍ନକ୍ଷମ ମହିଳାଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ। ଏହି ସୁବିଧା ପାଇବାକୁ ହେଲେ ମହିଳାଙ୍କ ମୋଟ ମାସିକ ଆୟ ମହାନଗରଗୁଡ଼ିକରେ ୫୦,୦୦୦ ଟଙ୍କା ଓ ଅନ୍ୟାନ୍ୟ ସ୍ଥାନରେ ୩୫,୦୦୦ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ। ଆବଶ୍ୟକସ୍ଥଳେ, ସ୍ଥାନୀୟ ଆବଶ୍ୟକତା ଏବଂ କୋଠରୀ ଉପଲବ୍ଧତାକୁ ଭିତ୍ତି କରି ଜିଲ୍ଲାପାଳ କିମ୍ବା କୌଣସି ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ଆୟ ସୀମା କୋହଳ କରାଯାଇପାରିବ। ଏଠି ରହୁଥିବା ସମୟରେ କୌଣସି ମହିଳାଙ୍କ ଆୟ ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରେ, ତେବେ ତାଙ୍କୁ ୬ ମାସ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପଡିବ।ସରକାରୀ ନିୟମାନୁଯାୟୀ ହଷ୍ଟେଲର ମାସିକ ଦେୟ ବାବଦକୁ ଏକକ ରୁମ୍ ପାଇଁ ମହିଳାମାନଙ୍କୁ ମୋଟ ଦରମାର ୧୫%, ଦୁଇ ଜଣିଆ ରୁମ୍ ପାଇଁ ୧୦% ଏବଂ ବହୁ ଜଣିଆ ପାଇଁ ମାତ୍ର ୭.୫% ଦେବାକୁ ହେବ । କର୍ମଜୀବୀ ମହିଳାମାନେ ଏଠାରେ ସାଧାରଣତଃ ୩ ବର୍ଷ ପର୍ଯ୍ୟନ୍ତ ରହିପାରିବେ, ଯାହାକି ଆବଶ୍ୟକ ସ୍ଥଳେ ଅନୁମୋଦନ କ୍ରମେ ଆହୁରି ୧ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଥିବା ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିଜର ଲିଖିତ ଦରଖାସ୍ତ ଛତ୍ରପୁର ସ୍ଥିତ ‘ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଗଞ୍ଜାମ’ଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ । ଏହି ହଷ୍ଟେଲରୁ ବ୍ରହ୍ମପୁର ଏବଂ ଛତ୍ରପୁର ଯାତାୟାତ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି I




