ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋପାଳପୁର ପାନ୍ଥନିବାସରେ ‘ରଜ ମହୋତ୍ସବ-୨୦୨୬’

Pradeep Kar

ଗୋପାଳପୁର/ବ୍ରହ୍ମପୁର, ଜୁନ ୧୪ :ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ ରାଜ୍ୟର ଗଣପର୍ବ ‘ରଜ ଉତ୍ସବ କୁ ମହା ଆଡ଼ମ୍ବରରେ ପାଳନ କରାଯାଉଛି। ଜୁନ ୧୪ ‘ପହିଲି ରଜ’ରୁ ଜୁନ ୧୬ ‘ଭୂମି ଦାହନ’ ପର୍ଯ୍ୟନ୍ତ ତିନି ଦିନ ଧରି ଗୋପାଳପୁର ସମୁଦ୍ରକୂଳରେ ଅବସ୍ଥିତ ପାନ୍ଥନିବାସ ସମେତ ରାଜ୍ୟର ୧୬ଟି ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଗୋପାଳପୁର ପାନ୍ଥନିବାସ ଠାରେ ପାରମ୍ପରିକ ରଜ ଦୋଳି, ଆମ୍ବ ପତ୍ର, ଫୁଲ ମାଳା,ତୋରଣ ଓ ଝୋଟି ଚିତାରେ ସୁସଜ୍ଜିତ କରାଯାଇଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ରଜ ଦୋଳି ଖେଳିବା ସହ ଲୁଡୋ, ପୁଚି ଭଳି, ଲଉଡ଼ି ପାରମ୍ପରିକ ଖେଳର ପିଲାମାନେ ଆନନ୍ଦ ଉପଭୋଗ କରୁଛନ୍ତି।ଏହି ରଜ ଉତ୍ସବକୁ ଅଧିକ ସମୃଦ୍ଧ ଓ ସମାଜସେବାର ମୂଲ୍ୟବୋଧ ସହ ଯୋଡ଼ିବା ଉଦ୍ଦେଶ୍ୟରେ ରୋଟାରାକ୍ଟ କ୍ଲବ୍ ଅଫ୍ ବ୍ରହ୍ମପୁର ର ସହାୟତାରେ କନିଷିସ୍ଥିତ ନବଜୀବନ ସେବା ଟ୍ରଷ୍ଟର ୬୦ ଜଣ ଅନାଥ କନ୍ୟାଙ୍କୁ ଏହି ଉତ୍ସବରେ ସାମିଲ କରାଯାଇଥିଲା। ସେମାନେ ରଜ ପର୍ବର ଆନନ୍ଦ ଉପଭୋଗ କରିବା ସହ ଓଡ଼ିଶାର ଏହି ଅନନ୍ୟ ପରମ୍ପରାକୁ ନିକଟରୁ ଅନୁଭବ କରିଥିଲେ। ଏହି ପଦକ୍ଷେପ ରଜ ପର୍ବର ଅନ୍ତର୍ନିହିତ ସମାବେଶୀ ମନୋଭାବ ଓ ସେବାଭାବକୁ ପ୍ରତିଫଳିତ କରିଥିଲା।ଏହି ଅବସରରେ ସମସ୍ତ ପାନ୍ଥନିବାସରେ ସ୍ୱତନ୍ତ୍ର ‘ରଜ ଥାଳି’ର ବ୍ୟବସ୍ଥା କରାଯାଇଥିଲା । ଗୋପାଳପୁର ପାନ୍ଥନିବାସରେ ସ୍ଥାନୀୟ ସ୍ୱାଦର ପୋଡ଼ପିଠା, ମଣ୍ଡାପିଠା, କାକରା, ଆଡ଼ିସା ପିଠା, ରଜ ପାନ, ଚକୁଳି ସହ ବ୍ରହ୍ମପୁରର ପ୍ରସିଦ୍ଧ ପଣା ପର୍ଯ୍ୟଟକଙ୍କୁ ପରିବେଷଣ କରାଯାଉଛି। ସନ୍ଧ୍ୟା ସମୟରେ ଗୋପାଳପୁର ବେଳାଭୂମିରେ ରଜ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଆକର୍ଷଣୀୟ ହୋଇଥିଲା ।ଗୋପାଳପୁର ପାନ୍ଥନିବାସର ମ୍ୟାନେଜର ସୟଦ୍ ତାରିକ୍ ଅଲ୍ଲୀ କହିଛନ୍ତି ଏହି ଉତ୍ସବ “ସମୁଦ୍ରକୂଳରେ ରଜ ପର୍ବ ପାଳନର ଅନୁଭୂତି ସ୍ୱତନ୍ତ୍ର। ଦେଶ-ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଓଡ଼ିଶାର ଏହି ନିଆରା ପରମ୍ପରାକୁ ନିକଟରୁ ଦେଖି ବେଶ ଖୁସି ହେଉଛନ୍ତି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।”ଏନ୍‌ଏସି ଅଧ୍ୟକ୍ଷ ଜାନକୀ ରାମ କହିଛନ୍ତି ଯେ “ରଜ ହେଉଛି ଓଡ଼ିଆ ଅସ୍ମିତା ଓ ନାରୀଶକ୍ତିର ପ୍ରତୀକ। ଗୋପାଳପୁର,ରମ୍ଭା,ପୁରୀ, କୋଣାର୍କ ଓ ଚିଲିକା ଭଳି ପର୍ଯ୍ୟଟନସ୍ଥଳୀରେ ଥିବା ପାନ୍ଥନିବାସ ମାଧ୍ୟମରେ ଏହି ସମୃଦ୍ଧ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ।”ରୋଟାରାକ୍ଟ କ୍ଲବ୍ ଅଫ୍ ବ୍ରହ୍ମପୁର ପକ୍ଷରୁ ୨୦୨୫-୨୬ ବର୍ଷର ସଭାପତି ଆକାଶ ଜାମ୍ମୁଲା, ୨୦୨୬-୨୭ ବର୍ଷର ସଭାପତି ବାଲାଜୀ ପୋଲାକି, ୨୦୨୬-୨୭ ବର୍ଷର ସମ୍ପାଦକ ଏ. ଆଶିଷ ପାତ୍ରୋଙ୍କ ସମେତ ଅନ୍ୟ ୧୦ ଜଣ ରୋଟାରାକ୍ଟ ସଦସ୍ୟ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ସମଗ୍ର ଆୟୋଜନକୁ ସୁଚାରୁ ଭାବେ ପରିଚାଳନା କରିବା ସହ ଅନାଥ କନ୍ୟା ଓ ଅତିଥିମାନଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ପଞ୍ଚୁ ବେହେରା,ଉପାଧ୍ୟକ୍ଷ ବି ଉମା.କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମନୋଜ କୁମାର ନାହାକ,ନାରାୟଣ ମହାଙ୍କୁଡ଼ ସମ୍ପାଦକ ପର୍ଯ୍ୟଟନ ଭାରତ,ପନ୍ଥାନିବାସ କର୍ମଚାରୀ ବାଇଲୋଚନ ବିଶ୍ୱାଳ, ସଂଜିତ ପାଢ଼ୀ, ପୁରୁଷୋତମ ରାଓ, ଦୀପକ ମାର୍ଥା ସହଯୋଗ କରିଥିଲେ।

Also Read

Tags