ଭତ୍ତା ପାଇଁ ଦଉଡି ଦଉଡି ନିରାଶ ହୋଇ ମୃତ୍ୟୁ ବରଣ କରିଥିବା ବି ସାବିତ୍ରୀଙ୍କ ଗ୍ରାମ ଚଢ଼େୟାପଡା ଗ୍ରାମକୁ ସିପିଏମର ଏକ ୪ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରି ମୃତ ସବିତ୍ରୀର ଝିଅ, ଗ୍ରାମବାସୀ,BDO, ତହସିଲଦାର ଓ ଥାନା ଅଧିକାରୀଙ୍କୁ ଭେଟି ଘଟଣାର ଅନୁସନ୍ଧାନ କରିଥିଲେ।ସମ୍ପୂର୍ଣ୍ଣ ଘଟଣା ଅନୁସନ୍ଧାନ ପରେ ସବିତ୍ରୀର ମୃତ୍ୟୁ ପାଇଁ ପ୍ରଶାସନ ହିଁ ଦାୟୀ ବୋଲି ମତ ପ୍ରକାଶ କରିଛନ୍ତି।ଭତ୍ତା ପ୍ରତି ମାସରେ ମିଳିଥିଲେ ସାବିତ୍ରୀ ମରି ନ ଥାନ୍ତା ବୋଲି ପ୍ରତିନିଧି ମଣ୍ଡଳୀ ଦୃଢ଼ ମତପୋଷଣ କରିଛନ୍ତି।ମୃତ ସାବିତ୍ରୀର ସ୍ୱାମୀଙ୍କ ମୃତ୍ୟୁପରେ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଛୋଟିଆ ଘରହିଁ ଥିଲା।ବିଧବା ଭତ୍ତା ବଞ୍ଚିବାର ଏକ ମାତ୍ର ସହାରା ହୋଇ ରହିଥିଲା।ଗତ ତିନି ମାସ ଧରି ଭତ୍ତା ନ ମିଳିବା ଯୋଗୁଁ ସାବିତ୍ରୀ ପାଇଁ ବଂଚିବା କଷ୍ଟକର ହୋଇ ଯାଇଥିଲା।ତେଣୁ ଭତ୍ତା ପାଇଁ ପଞ୍ଚାୟତ ଅଫିସ, ବ୍ଲକ ଅଫିସ, ବ୍ୟାଙ୍କ ଓ ସେବା କେନ୍ଦ୍ରକୁ ବାରମ୍ବାର ଦୌଡୁଥିଲା। ଭତ୍ତା ନ ପାଇଁ ଶେଷରେ ନିରାଶ ହୋଇ ତାର ଜୀବନ ଚାଲି ଗଲା ବୋଲି ତାର ସମ୍ପର୍କୀୟ ଓ ଗ୍ରାମବାସୀ ଆମ ପ୍ରତିନିଧି ଦଳ ପାଖରେ ଅଭିଯୋଗ କରିଥିଲେ। ବ୍ଲକ ଓ ତହସିଲ ଅଫିସ ସହାୟତା ଦେବାତ ଦୂରର କଥା ବର୍ତମାନ ପର୍ଯ୍ୟନ୍ତ ମୃତ ସବିତ୍ରୀର ଘରେ ମଧ୍ୟ ପହଞ୍ଚି ନାହାଁନ୍ତି।ଆମ ପ୍ରତିନିଧି ମଣ୍ଡଳୀ BDO, ତହସିଲଦାର ଓ ଥାନା ଅଧିକାରୀଙ୍କୁ ସାକ୍ଷାତକରି ଜାଣିବାକୁ ପାଇଲେ ସବିତ୍ରୀର ମୃତ୍ୟୁ ସମ୍ପର୍କରେ ବ୍ଲକ ପ୍ରସାଶନ କୌଣସି ପଦକ୍ଷେପ ନେଇନାହାନ୍ତି।ତେଣୁ ସବିତ୍ରୀର ମୃତ୍ୟୁ ପାଇଁ ପ୍ରଶାସନିକ ଅବହେଳା ସମ୍ପୂର୍ଣ୍ଣ ଦାୟୀ।ଏହି ଅବହେଳା ବଜାୟ ରହିଲେ ନିକଟ ଭବିଷ୍ୟତରେ ଅନେକ ସାବିତ୍ରୀ ମୃତ୍ୟୁ ବରଣ କରିବେ ବୋଲି ପ୍ରତିନିଧିମାନେ ଚିନ୍ତା ପ୍ରକଟ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଦଳିତ ବିକାଶ ମଂଚର ରାଜ୍ୟ ଆବାହକ ରାମ ଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରୀକୃଷ୍ଣ ରେଡି, ସିପିଏମ ଗଂଜାମ ଆଞ୍ଚଳିକ କମିଟିର ସମ୍ପାଦକ ଅଜୟ ଗୌଡ଼ ଓ ଯୁବନେତା କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।ସବିତ୍ରୀ ମୃତ୍ୟୁ ଘଟଣା ବିଜପି ଶାସନରେ ଦାରିଦ୍ର ଚରମ ସୀମାରେ ପହଞ୍ଚି ଥିବା ସ୍ୱଷ୍ଟ ହୋଇଛି ।ରାଜ୍ୟର ଡବଲ ଇଂଜିନ ସରକାର ଦୁଇ ବର୍ଷର ସଫଳତାର ମିଛ କାହାଣୀ ବାଣ୍ଟୁଥିବାବେଳେ ଲୋକଙ୍କୁ ସାମାନ୍ୟ ଭତ୍ତା ଟଙ୍କା ଦେଇ ନ ପରିବା ମୋହନ ସରକାରଙ୍କ ଚରମ ବିଫଳତାର ନଗ୍ନ ଉଦାହରଣ ବୋଲି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି।ତେଣୁ ଅତିଶୀଘ୍ର ମୃତ ସବିତ୍ରୀର ପରିବାର ବର୍ଗକୁ କ୍ଷତିପୁରଣ ଦିଅ,ଏହାର ଉଚ୍ଚ ସ୍ତରୀୟ ତଦନ୍ତ କର,ପ୍ରତି ମାସରେ ଭତ୍ତା ଧାରୀଙ୍କୁ ଭତ୍ତା ଦେବା ବ୍ୟବସ୍ଥା କର, ଭତ୍ତା ପାଇଁ ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଅତିଶୀଘ୍ର ଭତ୍ତା ଦିଅ ଏବଂ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ମାସକୁ 3 ହଜାର ଟଙ୍କାକୁ ବୃଦ୍ଧି କର ଦାବିରେ ଚଳିତ ମାସ 24 ରୁ 30 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଅଫିସରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରକାଶ କରିଛନ୍ତି।
ଗରୀବ ଲୋକଙ୍କ ପ୍ରତି ସରକାରୀ ଉଦାସୀନତାର ଏକ ନଗ୍ନ ଉଦାହରଣ – ସିପିଏମ





