ବ୍ରହ୍ମପୁର,ତା ୧୯/୦୬/୨୦୨୬; ଆଜି ଜାତୀୟ ଶିକ୍ଷନୀତି(ଏନଇପ)- ୨୦୨୦ ଅନୁଯାୟୀ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିବା ଦାବିରେ ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ସମସ୍ତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଲୋକଲୋଚନକୁ ଆସିଛି । ଏହା ଫଳରେ ରାଜ୍ୟ ତଥା ଆମ ଜିଲ୍ଲାର ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷାନୀତି – ୨୦୨୦ ଆଧାରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ମୋଟ ୧୭୦୦ଟି ଭୁଲ ପରିଲକ୍ଷିତ ହୋଇଥିବା ବେଳେ ଟିକେ ନିରିଖି ଦେଖିଲେ ଆହୁରି ଅଧିକ ସଂଖ୍ୟକ ଭୁଲ ମଧ୍ୟ ବାହାରି ପାରେ ଏବଂ ଏହି ଯେଉଁ ୧୭୦୦ ଟି ଭୁଲ ବାହାରିଛି ସେଗୁଡ଼ିକ ମୁଖ୍ୟତଃ ତଥ୍ୟ ଭିତ୍ତିକ । ମାତ୍ର ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହି ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ଆହୁରି ମଧ୍ଯ ସେମାନେ ଅନ୍ଧତା, କୂପମଣ୍ଡୁକତାର ଶୀକାର ହେବେ । ଅସଲରେ ଏହି ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁକରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରିବା, ବିଜ୍ଞାନସମ୍ମତ ଶିକ୍ଷା ଠାରୁ ଭବିଷ୍ୟତ ପିଢ଼ିକୁ ଦୂରେଇ ରଖିବା ତଥା ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ପାଇଁ ଏକ ସୁଦୂର ପ୍ରସାରୀ ଷଡ଼ଯନ୍ତ୍ର । ଅବିଳମ୍ବେ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ କୁ ସଂପୂର୍ଣ୍ଣ ବାତିଲ କରିବା, ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ପ୍ରଚଳନ କରିବା ସହ ଗଣ ଶିକ୍ଷାମନ୍ତ୍ରୀ ସମେତ ପାଠ୍ୟପୁସ୍ତକରେ ଭୁଲ ବିଷୟ ଛାପିବାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ସଂପାଦକ ନାରାୟଣ ସାହୁ, ଜିଲ୍ଲା ଅଫିସ ସମ୍ପାଦକ କିସାନ କୁମାର ସାହୁ ସମେତ ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ, ଜଗନ୍ନାଥ ବେହେରାଙ୍କ ସହ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିବା ଦାବିରେ ଏଆଇଡିଏସଓ ର ବିକ୍ଷୋଭ





