ବ୍ରହ୍ମପୁର, ୧୯ ଜୁନ ୨୦୨୬: ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମକୁ ଶୀଘ୍ର ସମାପ୍ତ କରିବା ସହ ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ଗ୍ରୀନଫିଲ୍ଡ ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦର ସ୍ଥାପନ ଦାବିରେ ପୁଣିଥରେ ବିରାଟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି। ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣସଂଗଠନ ପକ୍ଷରୁ ସ୍ଥାନୀୟ ରୁକ୍ମିଣୀ ସିନେମା ହଲ ଠାରୁ ରାମଲିଙ୍ଗମ୍ ପାର୍କ, ଅର୍ବାନ ବ୍ୟାଙ୍କ ରୋଡ, ଫାୟାର ଷ୍ଟେସନ ଦେଇ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ପରେ ଆୟୋଜିତ ସଭାରେ ଏହି ଦାବିକୁ ତୀବ୍ର ଭାବେ ଉଠାଯାଇଥିଲା। ଏହି ଅବସରରେ ଫୋରମ୍ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଛକରେ ପଥପ୍ରାନ୍ତ ସଭା କରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।ସୂଚନାଯୋଗ୍ୟ, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ପୂର୍ବରୁ ଦକ୍ଷିଣାଞ୍ଚଳ ଆର୍ଡିସି, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମରେ ଆଶାଜନକ ପ୍ରଗତି ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବିଡିଓଙ୍କ ଅବହେଳା ଓ ଅସହଯୋଗ କାରଣରୁ ବିମାନବନ୍ଦର ଅଞ୍ଚଳରେ ଥିବା ୨0ଟି ପରିବାରକୁ ଦୁଇ ବର୍ଷ ହେଉଥିଲେ ମଧ୍ୟ ସ୍ଥାନାନ୍ତର କରାଯାଇପାରିନାହିଁ।ଫୋରମ୍ ଅଭିଯୋଗ କରିଛି ଯେ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଅଧିକାରୀ ଙ୍କ ଘୋର ଅବହେଳା କାରଣରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦରର ସ୍ୱପ୍ନ ଏପର୍ଯ୍ୟନ୍ତ ସାକାର ହୋଇପାରୁନାହିଁ।ଗତ ବର୍ଷ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରନୱେ ସମ୍ପ୍ରସାରଣ, ବିମାନବନ୍ଦର ଅଞ୍ଚଳର ଘର ସ୍ଥାନାନ୍ତର, ଆଲୋକୀକରଣ ଓ ଏଟିସି ଟାୱାର ନିର୍ମାଣ ଭଳି ଅନେକ କାର୍ଯ୍ୟ 2024 ଡିସେମ୍ବର ସୁଦ୍ଧା ସାରିବା ପାଇଁ କୁହାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଗତ କିଛି ଦିନ ତଳେ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମ କୁ ପରିଦର୍ଶନ କରିଥିଲେ ମଧ୍ୟ କାମ ସାରିବାକୁ କୌଣସି ସ୍ଵଷ୍ଟ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇ ନଥିଲେ କିମ୍ବା ଆନ୍ଧ୍ର ପ୍ରଦେଶ ସରକାର ବ୍ରହ୍ମପୁର ପାଖରେ ଯେଉଁ ବିରାଟ ବିମାନ ବନ୍ଦର ପ୍ରତିଷ୍ଠା କରୁଛି ସେହି ସମ୍ବନ୍ଧରେ ଓଡ଼ିଶା ସରକାରଙ୍କ କି ଷ୍ଟାଣ୍ଡ ରହିଛି ତାହା ସ୍ଵଷ୍ଟ କରିନଥିଲେ। ଆଶା କରାଯାଉ ଥିଲା ମନ୍ତ୍ରୀ ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଘୋଷଣା କରିବେ କିନ୍ତୁ କୌଣସି ଘୋଷଣା କରାଗଲା ନାହିଁ।ଫୋରମ୍ କାର୍ଯ୍ୟକର୍ତ୍ତାମାନେ କହିଥିଲେ ଯେ, ଏକ ପୂର୍ଣ୍ଣାଙ୍ଗ ବିମାନବନ୍ଦର ର ଦାବି ୪୦ ବର୍ଷ ପୁରୁଣା ହୋଇଥିବା ବେଳେ ସରକାର, ବିଭିନ୍ନ ବିଭାଗର ଅବହେଳା ଓ ସମନ୍ୱିୟ ଅଭାବ ଯୋଗୁ କାର୍ଯ୍ୟ ବିଳମ୍ବିତ ହେଉଥିବା ରୁ ତାହା ଚିନ୍ତା ଜନକ। ଆଉ କେତେଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନବନ୍ଦର ନାଁରେ ଗଞ୍ଜାମବାସୀଙ୍କୁ କେବଳ ଲଲିପପ ଦିଆଯିବ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ।ସଭାରେ ବ୍ରହ୍ମପୁରରୁ ତୁରନ୍ତ ନିୟମିତ ସ୍କେଡ୍ୟୁଲ୍ ବିମାନ ସେବା ଆରମ୍ଭ କରିବା, ଅନଲାଇନ୍ ଟିକେଟ ବୁକିଂ ବ୍ୟବସ୍ଥା କରିବା ଏବଂ କଲକାତା, ହାଇଦ୍ରାବାଦ, ବିଶାଖାପାଟଣମ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ ଓ ଅହମଦାବାଦ ଭଳି ପ୍ରମୁଖ ସହରକୁ ବିମାନ ସଂଯୋଗ ଦେବାକୁ ଦାବି କରାଯାଇଥିଲା। ସେହିପରି କଲକାତା, ଭୁବନେଶ୍ୱର ଓ ବିଶାଖାପାଟଣମ ମଧ୍ୟରେ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଚିବ ଭି. ସୋମେଶ୍ୱର ରାଓ, ଲକ୍ଷ୍ମୀନାରାୟଣ ପାଢ଼ୀ, ପ୍ରବୀଣ ପଟ୍ଟନାୟକ, ସହ-ସଚିବ ମାନସ ରଞ୍ଜନ ପାତ୍ର, ମଧୁ ସୁଦନ ସାହୁ, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ଓ ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ଭଜାନୀ, ଭି. ନେହାଲ, ଆଦିତ୍ୟ ରଥ (ସମାଜସେବୀ), ଲାଫିଙ୍ଗ ଯୋଗ କ୍ଲବର ସଦସ୍ୟମାନେ ଯଥା ଜେ. ସୂର୍ଯ୍ୟନାରାୟଣ, ବି. ୱେଙ୍କଟ, ଏସ୍. ସତ୍ୟନାରାୟଣ, ଏସ୍. ନାଗେଶ୍ୱର, ଭି. ପଦ୍ମନାଭ ରାଓ, ମନୋଜ ପାତ୍ର, ମୋହନ ରାଓ, ଅଙ୍କନେୟୁଲି, ଭାଗିତାଘି ପାତ୍ର, ପ୍ରଦୀପ ପାତ୍ର, ନ୍ୟାଚୁରାଲ ଭାଇ, କୋଟା ମାଧବ, ବଦ୍ରି ସୁବୁଦ୍ଧି, ସବ୍ୟସାଚୀ ପଣ୍ଡା, ମହାରଣା ବାବୁ ଓ ଭାସ୍କର ବାଙ୍ଗାରୀ, ପ୍ରଶାନ୍ତ କୁମାର ମହାପାତ୍ର (ସମାଜସେବୀ), ଏସ୍. ସତ୍ୟବତୀ, ଗୌରୀ, ମୁନ୍ଦ୍ରା, ଏ. ରମେଶ ପାତ୍ର, ଏଲ୍.ଏସ୍. ଧର୍ମା ରାଓ ଏବଂ ଲେଡିଜ୍ ୱାକର୍ ଗ୍ରୁପ୍, ମାରୱାଡ଼ି ଗ୍ରୁପ୍ ସହ ବହୁ କାର୍ଯ୍ୟକର୍ତ୍ତା ଓ ସଂଗଠନ ଉପସ୍ଥିତ ଥିଲେ।
ବ୍ରହ୍ମପୁରରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ଦାବି ରେ ବିରାଟ ଗଣ ଆନ୍ଦୋଳନ





