ବ୍ରହ୍ମପୁର, ୨୦/୦୬ ଓଡ଼ିଶାର ସମୃଦ୍ଧ ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ “ଅନ୍ଵେଷା କଳା କେନ୍ଦ୍ର “ପକ୍ଷରୁ ଇଣ୍ଡିଆ ହାବିଟାଟ୍ ସେଣ୍ଟର, ନୂଆଦିଲ୍ଲୀରେ “ସ୍ବପ୍ନଳ ଓଡ଼ିଶା, ଭାରତ ସ୍ମୃତିରେ” ଶୀର୍ଷକ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଲୋକକଳା, ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ଖାଦ୍ୟ ପରମ୍ପରାର ଏକ ଅନନ୍ୟ ସମାଗମ ଦେଖିବାକୁ ମିଳିଥିଲା।କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ଵେଷା କଳା କେନ୍ଦ୍ରର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏଭଳି ସଂଗଠନ ଓ ଉଦ୍ୟମ ଭାରତର ସମୃଦ୍ଧ ଆଞ୍ଚଳିକ ସଂସ୍କୃତି ଓ ସାହିତ୍ୟିକ ପରମ୍ପରାକୁ ନୂତନ ପିଢ଼ି ସହିତ ଯୋଡ଼ିବାରେ ଅମୂଲ୍ୟ ଭୂମିକା ନିଭାଉଛି।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରୀୟ ସୂଚନା ଆୟୁକ୍ତ ଖୁସୱନ୍ଧ ସେଠୀ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର, ଦୂରଦର୍ଶନ ମହାନିର୍ଦ୍ଦେଶକ କେ. ସତୀଶ ନମ୍ବୁଦିରିପାଦ, ବିଶିଷ୍ଟ ଚିତ୍ରଶିଳ୍ପୀ ଜତିନ ଦାସ, ବରିଷ୍ଠ ଗଣମାଧ୍ଯମ ବ୍ୟକ୍ତିତ୍ବ ରବି ପ୍ରଧାନ ଏବଂ ସିଦ୍ଧାର୍ଥ ମହାନ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ସାଂସ୍କୃତିକ ପରିବେଷଣ ଦର୍ଶକମାନଙ୍କୁ ବିଶେଷ ଭାବେ ମନ ମୁଗ୍ଧ କରିଥିଲା। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ କବିସମ୍ରାଟଙ୍କ ଅମର ରଚନା “ମାଳି ମାଳା ଶ୍ୟାମକୁ ଦେବି” ଉପରେ ଏକ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ।ଏହା ସହିତ ବ୍ରହ୍ମପୁରରୁ ଆସିଥିବା ଲୋକକଳାକାରମାନେ ସଖୀ ନାଚ, ଧୋବା-ଧୋବୁଣୀ ଓ କେଳା-କେଳୁଣୀ ପରି ଲୋକନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଓଡ଼ିଶାର ଜୀବନ୍ତ ଲୋକସଂସ୍କୃତିର ଝଲକ ପ୍ରଦାନ କରିଥିଲେ। ଉପେନ୍ଦ୍ର ଭଞ୍ଜଙ୍କ ରଚନାକୁ କେବଳ ଓଡ଼ିଶୀ ନୃତ୍ୟରେ ସୀମିତ ନ ରଖ୍ ଲୋକକଳା ସହ ଯୋଡ଼ି ଉପସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା।କାର୍ଯ୍ୟକ୍ରମକୁ ଆହୁରି ସମୃଦ୍ଧ କରିଥିଲା ଉତ୍କଳିକା ପକ୍ଷରୁ ଆୟୋଜିତ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ। ଅତିଥି ମାନେ ଓଡ଼ିଶାର ପାରମ୍ପରିକ ବୟନଶିଳ୍ପ, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଅନନ୍ୟ ହସ୍ତଶିଳ୍ପ ସମ୍ପଦକୁ ନିକଟରୁ ଦେଖୁବା ଓ ପ୍ରଶଂସା କରିବାର ସୁଯୋଗ ପାଇଥିଲେ ।ଏହା ସହିତ ଅତିଥିମାନଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶାର ସ୍ବାଦ, ଆତିଥ୍ୟ ଓ ଖାଦ୍ୟ ସଂସ୍କୃତିର ଏହି ପରିଚୟ ଅତିଥିମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିଥିଲା ।ଏହି ଅବସରରେ ଅନ୍ବେଷା କଳା କେନ୍ଦ୍ରର ସମ୍ପାଦିକା, ସଂଯୋଜିକା ଏବଂ ନିର୍ଦ୍ଦେଶିକା ଅନ୍ବେଷା ବ୍ରହ୍ମା କହିଥିଲେ, “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କେବଳ ଓଡ଼ିଆ ସାହିତ୍ୟର ନୁହେଁ, ଭାରତୀୟ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ଧରୋହର । ତାଙ୍କ ସୃଷ୍ଟିକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବା ଏବଂ ଶାସ୍ତ୍ରୀୟ ତଥା ଲୋକକଳା ମାଧ୍ୟମରେ ତାହାକୁ ନୂତନ ରୂପରେ ଉପସ୍ଥାପନ କରିବା ଆମର ଲକ୍ଷ୍ୟ। ‘ସ୍ବପ୍ନର ଓଡ଼ିଶା, ଭାରତ ସ୍ମୃତିରେ’ ମାଧ୍ୟମରେ ଆମେ ଓଡ଼ିଶାର ସାହିତ୍ୟ, ଲୋକକଳା, ହସ୍ତଶିଳ୍ପ ଓ ଖାଦ୍ୟ ପରମ୍ପରାକୁ ଏକାଠି କରି ଜାତୀୟ ସ୍ତରରେ ଉପସ୍ଥାପନ କରିବାର ପ୍ରୟାସ କରିଛୁ।ଆଜିର ଏହି ଅଭୂତପୂର୍ବ ସମର୍ଥନ ଆମକୁ ଆଗାମୀ ଦିନରେ ଆହୁରି ବଡ଼ ପରିସରରେ ଓଡ଼ିଶାର ସଂସ୍କୃତିର ପ୍ରଚାର ପାଇଁ କାମ କରିବାକୁ ପ୍ରେରଣା ଦେଇଛି।”କାର୍ଯ୍ୟକ୍ରମ ଶେଷରେ ଉଷାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, କଳାକାର, ସହଯୋଗୀ ଓ ଦର୍ଶକଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ କାର୍ଯ୍ୟକ୍ରମର ସଫଳତାରେ ଆନନ୍ଦ ବ୍ୟକ୍ତ କରି କହିଥିଲେ ଯେ ,ଏଭଳି ପ୍ରୟାସ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ ଭାବରେ ପରିଚିତ କରାଇବ।ସାହିତ୍ୟ, ଲୋକକଳା, ନୃତ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ଓଡ଼ିଆ ଖାଦ୍ୟ ସଂସ୍କୃତିର ଏହି ଅନନ୍ୟ ସମନ୍ବୟ ଜାତୀୟ ରାଜଧାନୀରେ ଓଡ଼ିଶାର ଗୌରବମୟ ପରମ୍ପରାକୁ ଏକ ନୂତନ ମଞ୍ଚ ପ୍ରଦାନ କରିଥିଲା ।
ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି





