ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଟ୍ରେଡ୍ ୟୁନିଅନ୍ସ (IFTU)ର ଜାତୀୟ କମିଟି ବୈଠକ

Pradeep Kar

ଜୁନ୍ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଟ୍ରେଡ୍ ୟୁନିଅନ୍ସ (IFTU)ର ଜାତୀୟ କମିଟି ବୈଠକ ଓଡ଼ିଶାର ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜାତୀୟ ସଭାନେତ୍ରୀ ଡଃ ଅପର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ବୈଠକରେ ଭାରତର ବିଭିନ୍ନ ରାଜ୍ୟରୁ ଜାତୀୟ କମିଟିର ସଦସ୍ୟ, ସଦସ୍ୟା ତଥା ଶ୍ରମିକ ଆନ୍ଦୋଳନର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ । ଜାତୀୟ କମିଟି ଦେଶରେ ଶ୍ରମିକମାନଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ନଏଡା, ମାନସେର, ଗୁରୁଗ୍ରାମ ପରି ଦେଶର ବଡ ବଡ ଶିଳ୍ପ କେନ୍ଦ୍ରମାନଙ୍କରେ ମଜୁରୀ ବୣଦ୍ଧି, ଉତ୍ତମ କାର୍ଯ୍ୟ ପରିବେଶ ତଥା ଚାକିରୀର ନିରାପତ୍ତା ଦାବିରେ ଶିଳ୍ପ ଶ୍ରମିକ ଓ ନିର୍ମାଣ ଶ୍ରମିକମାନଙ୍କ ଲଢୁଆ ଆନ୍ଦୋଳନକୁ ସମର୍ଥନ କରୁଛି । ଏହା ସହିତ କମ୍ପାନୀମାନଙ୍କ ସ୍ଵାର୍ଥରେ ଆନ୍ଦୋଳନରତ ଶ୍ରମିକମାନଙ୍କ ଉପରେ କରାଯାଇଥିବା ମିଥ୍ୟା ମକଦ୍ଦମା ଓ ଗିରଫଦାରୀକୁ ନିନ୍ଦା କରିବା ସହ ପ୍ରତ୍ୟାହାର ଦାବି କରୁଛି । ନିମ୍ନଲିଖିତ ଦାବି ଉପସ୍ଥାପିତ କରୁଛି । ୧. କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୧୩ ବର୍ଷର ଶାସନ କାଳ ମଧ୍ୟରେ, ଦେଶୀ ଓ ବିଦେଶୀ ବଡ଼ ବଡ଼ କର୍ପୋରେଟ୍ କମ୍ପାନୀଗୁଡ଼ିକର ସ୍ୱାର୍ଥ ରକ୍ଷା ପାଇଁ ଶ୍ରମିକ-ବିରୋଧୀ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟସୂଚୀର ଏକ ଅଂଶ ଭାବରେ, କେନ୍ଦ୍ର ସରକାର ୨୯ଟି ଶ୍ରମ ଆଇନକୁ ୪ଟି ଶ୍ରମ କୋଡ୍‌ (Labour Codes)ରେ ପରିଣତ କରିଛନ୍ତି ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ପ୍ରଣୟନ କରିଛନ୍ତି । IFTU ଜାତୀୟ କମିଟି ଏହି ନିୟମଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଏବଂ ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିବା ପାଇଁ ଦାବି କରୁଛି । ଶ୍ରମ କୋଡ୍ ବାତିଲ ଦାବିରେ ଆଗାମୀ ଦିନରେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି କମିଟି ଘୋଷଣା କରିଛି ଏବଂ ଏହା ବିରୁଦ୍ଧରେ ତୁରନ୍ତ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରିବାକୁ ସମସ୍ତ ରାଜ୍ୟ ଶାଖାକୁ ଆହ୍ୱାନ ଦେଇଛି ।୨. ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) ଏବଂ ଆଉଟ୍‌ସୋର୍ସିଂ ଶ୍ରମିକମାନଙ୍କ ଚାକିରି ନିୟମିତ କରିବା ଏବଂ ସେମାନଙ୍କ ପାଇଁ ମାସିକ ସର୍ବନିମ୍ନ ମଜୁରି ୩୦,୦୦୦ ଟଙ୍କା ଧାର୍ଯ୍ୟ କରିବା ଦାବିରେ ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଆନ୍ଦୋଳନ ସଂଗଠିତ କରିବାକୁ ଜାତୀୟ କମିଟି ସଂକଳ୍ପ କରିଛି ।୩. ଆଶା (ASHA) କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ମଧ୍ୟାହ୍ନ ଭୋଜନ (Mid-Day Meal) ରୋଷେୟାଙ୍କ ଭଳି ସ୍କିମ୍ ବା ଯୋଜନାଭିତ୍ତିକ କର୍ମଚାରୀମାନଙ୍କୁ ‘ଶ୍ରମିକ’ର ମାନ୍ୟତା ଦିଆଯାଉ, ସେମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉ ଏବଂ ସମାନ କାମ ପାଇଁ ସମାନ ଦରମା ଦିଆଯାଉ ବୋଲି ଆଇଏଫଟିୟୁ (IFTU) ଜାତୀୟ କମିଟି ଦାବି କରୁଛି ।୪. ଫାର୍ମାସ୍ୟୁଟିକାଲ୍ (ଔଷଧ) ଉତ୍ପାଦନ କ୍ଷେତ୍ରରେ ବାରମ୍ବାର ଘଟୁଥିବା ଶିଳ୍ପ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଆଇନର ଧାରା ୩୦୪ (ହତ୍ୟା ପରିସରଭୁକ୍ତ ହେଉନଥିବା ଦୋଷାବହ ନରହତ୍ୟା) ଅଧୀନରେ ଗିରଫ କରାଯାଉ ବୋଲି ଜାତୀୟ କମିଟି ନିଷ୍ପତ୍ତି ନେଇଛି।୫. ଓଡ଼ିଶା ସରକାର ବିଦ୍ୟୁତ କର୍ମଚାରୀମାନଙ୍କ ଉପରେ ଲଗାଇଥିବା ଏସମା (ESMA – ଜରୁରୀକାଳୀନ ସେବା ରକ୍ଷଣାବେକ୍ଷଣ ଆଇନ)କୁ ସଙ୍ଗେ ସଙ୍ଗେ ପ୍ରତ୍ୟାହାର କରନ୍ତୁ ବୋଲି ଜାତୀୟ କମିଟି ଦାବି କରୁଛି।୬. ଚାକିରିରୁ ବହିଷ୍କୃତ ହୋଇଥିବା ବିଭିନ୍ନ ବିଭାଗର ୫,୦୦୦ ରୁ ଉର୍ଦ୍ଧ୍ଵ ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଓଡ଼ିଶା ସରକାର ସଙ୍ଗେ ସଙ୍ଗେ ଚାକିରିରେ ପୁନଃନିଯୁକ୍ତି ଦିଅନ୍ତୁ ବୋଲି ଜାତୀୟ କମିଟି ଦାବି କରୁଛି ।୭. ଓଡ଼ିଶାରୁ ତାମିଲନାଡୁକୁ ଯାଇଥିବା ପ୍ରବାସୀ ଶ୍ରମିକମାନଙ୍କ ଘଟଣା, ଯେଉଁଥିରେ ଅପରାଧିକ ଅବହେଳା ଏବଂ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ଯୋଗୁଁ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି – ସେହି ଦୁଃଖଦାୟକ ଘଟଣା ପ୍ରତି ଜାତୀୟ କମିଟି ଗଭୀର ଶୋକ ଓ ଦୁଃଖ ପ୍ରକାଶ କରୁଛି। ଓଡ଼ିଶା ସରକାର, ତାମିଲନାଡୁ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇପିସି (IPC)ର ଧାରା ୩୦4 ଅନୁଯାୟୀ ଅପରାଧିକ ମାମଲା ରୁଜୁ କରନ୍ତୁ ବୋଲି ଏହା ଦାବି କରୁଛି l

Also Read

Tags