ଜୀବଜଗତର କଲ୍ୟାଣ ନିମନ୍ତେ ପାଳନ ହେଉଛି ୭୭ତମ ବନ ମହୋତ୍ସବ

Pradeep Kar

ବ୍ରହ୍ମପୁର,ତା.୦୨.୦୭.୨୦୨୬ରିଖ: ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ୭୭ତମ ବନ ମହୋତ୍ସବ l ଅତ୍ୟାଧୁନିକ ଯୁଗର ବିପନ୍ନ ପରିବେଶର କ୍ଷତିପୂରକ ଭାବେ ତଥା ଏକ ସବୁଜିମାମୟ ପରିବେଶ ମଧ୍ୟରେ ଜୀବଜଗତର କଲ୍ୟାଣ ନିମନ୍ତେ ବନ ମହୋତ୍ସବ ପାଳନର ପରିକଳ୍ପନା ଉପାଦେୟ ସାବ୍ୟସ୍ତ ହେଉଛି l ବ୍ୟସ୍ତବହୁଳ ଜୀବନ ଭିତରେ ଏପରି ଏକ ମହୋତ୍ସବ ପାଳନ ବ୍ୟାପକ ଜନ ସଚେତନତା ସୃଷ୍ଟି କରିପାରୁଛି l ସ୍କୁଲ୍, କଲେଜ ସ୍ତରରୁ ଆରମ୍ଭ କରି ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଏହି ମହୋତ୍ସବ ପାଳନ ପୂର୍ବକ ବୃକ୍ଷରୋପଣ ଅଭିଯାନ ଚାଲିଛି l ଏହି କ୍ରମରେ ବ୍ରହ୍ମପୁର କରାପାଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ପୂର୍ବକ ବୃକ୍ଷରୋପଣ କରାଯାଇଛି l ପ୍ରଶସ୍ତ ଟାଙ୍ଗରା ମାଟିରେ ସବୁଜିମା ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ଉକ୍ତ ସ୍କୁଲ ପରିସରରେ ପୂର୍ବରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଉ ପାଦେ ଆଗକୁ ବଢ଼ିଛି l ଏଠାରେ କଦମ୍ବ, ଡାଳିମ୍ବ, ଅଁଳା, ଜାମୁ ଓ ପିଜୁଳି ପରି ଚାରା ରୋପଣ କରାଯାଇଛି l ସେକ୍ରେଟାରୀ, ଜିଲ୍ଲା ନ୍ୟାୟିକ ସେବା କର୍ତ୍ତୃପକ୍ଷ, ଗଞ୍ଜାମ, ବ୍ରହ୍ମପୁର ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୃକ୍ଷରୋପଣ ଅଭିଯାନ ଆଗାମୀ ଦିନରେ ଚାଲୁ ରହିବ ବୋଲି ବିଦ୍ୟାଳୟର ନ୍ୟାୟିକ ସାକ୍ଷରତା କ୍ଲବ ଇନ୍‌ଚ଼ାର୍ଯ (ଏସ୍.ଏଲ୍.ଏଲ୍.ସି) ମଧୁସୂଦନ ମିଶ୍ର ସୂଚ଼ନା ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ନାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ଆଗ୍ରହ ଓ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ସଦାନନ୍ଦ ପାତ୍ର, ଫରେଷ୍ଟର ବାବୁ ସେଠି, ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସନ୍ତୋଷିନୀ ପାଣିଗ୍ରାହୀ, ଦୀପିକା ଦିଗାଲ ଏବଂ ସି.ସି.ଏ ଇନ୍‌ଚ଼ାର୍ଯ କୁନା ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ l

Also Read

Tags