ଅଗ୍ନିଯୋଦ୍ଧାଙ୍କ ପାଇଁ ଆଡ଼ଭାନ୍ସ ‘ଫାଷ୍ଟ ଏଡ୍ ଲାଇଫ୍ ସପୋର୍ଟ’ ପ୍ରଶିକ୍ଷଣ

Pradeep Kar

ଭୁବନେଶ୍ୱର, ୦୨ ଜୁଲାଇ ୨୦୨୬:ସମ୍ ହସ୍ପିଟାଲ ପରିସରରେ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଆୟୋଜିତ ୭ ଦିନିଆ ଆଡ଼ଭାନ୍ସ “ଫାଷ୍ଟ ଏଡ୍ ଲାଇଫ୍ ସପୋର୍ଟ ” ପ୍ରଶିକ୍ଷଣ ଶିବିରର ପ୍ରଥମ ବ୍ୟାଚ୍‌ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମହାନିର୍ଦ୍ଦେଶକ (DG) ଡଃ ସୁଧାଂଶୁ ଷଡ଼ଙ୍ଗୀ, IPS ମୁଖ୍ୟ ଅତିଥି ଓ ଅଗ୍ନିଶମ ସେବା ଆଇଜି (IG) ଡଃ ଉମାଶଙ୍କର ଦାଶ, IPS ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ପଦ୍ମଶ୍ରୀ ପ୍ରାପ୍ତ, ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ ଜୀବନ ରକ୍ଷା କରିବାରେ CPR ପ୍ରଶିକ୍ଷଣର ଭୂମିକା ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ହସ୍ପିଟାଲ୍ ନେବା ପୂର୍ବରୁ ସେମାନଙ୍କର ରକ୍ତଚାପ (ବ୍ଲଡ୍ ପ୍ରେସର) ଓ ଅକ୍ସିଜେନ୍ ସ୍ତର କିପରି ଯାଞ୍ଚ କରାଯାଇ ପ୍ରାଥମିକ ଚିକିତ୍ସା କିପରି ଦିଆଯିବ ସେ ନେଇ ଆଲୋଚନା କରିଥିଲେ ।ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଦାଶ (CFO), ଅନ୍ୟାନ୍ୟ ବରିଷ୍ଠ ଉଚ୍ଚପଦାଧିକାରୀ ଏବଂ ସମ୍ ହସ୍ପିଟାଲର ସମସ୍ତ ବରିଷ୍ଠ ଡାକ୍ତରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ଅବସରରେ ଅଗ୍ନିଶମ ବାହିନୀର ‘ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ’ (Special Rescue Unit – SRU) ଉପଯୁକ୍ତ ତାଲିମ୍ ପାଇ କିଭଳି ଜରୁରୀକାଳୀନ ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି, ସେ ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା। ଦୁର୍ଘଟଣା ବା ହୃଦଘାତ ଭଳି ଜରୁରୀ ସ୍ଥିତିରେ ପୀଡ଼ିତଙ୍କୁ କିଭଳି ସତର୍କତାର ସହ ଉଦ୍ଧାର କରାଯିବ ସିପିଆର୍ ପ୍ରଦାନ, ଅକ୍ସିଜେନ୍ କ୍ୟାନ୍ ମାଧ୍ୟମରେ ତୁରନ୍ତ ଅମ୍ଳଜାନ ଯୋଗାଣ ଏବଂ ସ୍ପାଇନ୍ ଷ୍ଟ୍ରେଚର୍ (Spine Stretcher) ର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। “ଆମର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (SRU) ଜୀବନ ରକ୍ଷା କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଗତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଏହି ଦଳ ଗୁଡ଼ିକ ପ୍ରାୟ ୫୦୦ ଜଣ ଶ୍ରଦ୍ଧାଳୁଙ୍କୁ ଜୀବନରକ୍ଷାକାରୀ ଆସୁ ଚିକିତ୍ସା ସହାୟତା କରିଥିଲେ । ସମ୍ ହସ୍ପିଟାଲ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ‘ଫାଷ୍ଟ ଏଡ୍ ଲାଇଫ୍ ସପୋର୍ଟ ‘ ତାଲିମ୍ ଆମ କର୍ମଚାରୀଙ୍କ ଦକ୍ଷତାକୁ ଆହୁରି ବଢ଼ାଇବ। ପ୍ରଥମ ପର୍ଯ୍ୟାୟରେ ଅଗ୍ନିଶମ ବିଭାଗର ୪୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସଫଳତାର ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ଅନୁଦାନ ସହାୟତାରେ ୨୦୦୦ ଅଗ୍ନିଶମ କର୍ମଚାରୀଙ୍କୁ ଅତ୍ୟାଧୁନିକ ଆଶୁ ଚିକିତ୍ସା ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ୟୁନିଟ ପାଖରେ ଅତ୍ୟାଧୁନିକ ଯନ୍ତ୍ରପାତି ଯଥା ସ୍ପାଇନ ସ୍ଟ୍ରେଚର, oxygen , Automated External Defibrillator ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ରହିବ । ଚଳିତ ବର୍ଷ ରଥଯାତ୍ରା ପାଇଁ ଆମେ ଏହି ଦଳକୁ ଆହୁରି ସୁଦୃଢ଼ କରିଛୁ। ଭକ୍ତ ମାନଙ୍କୁ ଅଧିକ ସେବା ଯୋଗାଇବା ପାଇଁ ଚଳିତ ଥର ୨୦ଟି ବିଶେଷ ୟୁନିଟ୍ ରେ ୧୦୦ ଜଣ ଅଗ୍ନିଯୋଦ୍ଧାଙ୍କୁ ମୁତୟନ କରାଯିବ ଏବଂ ପ୍ରତ୍ୟେକ ୟୁନିଟ୍‌ରେ ୫ ଜଣ ଲେଖାଏଁ ଅତ୍ୟାଧୁନିକ ପ୍ରଶିକ୍ଷଣପ୍ରାପ୍ତ ସଦସ୍ୟ ରହିବେ। ” ବୋଲି ଅଗ୍ନିଶମ ସେବା ମହାନିର୍ଦ୍ଦେଶକ (DG) ଡଃ ସୁଧାଂଶୁ ଷଡ଼ଙ୍ଗୀ ବକ୍ତବ୍ୟ ଦେଇଛନ୍ତି।

Also Read

Tags