ଖଲ୍ଲିକୋଟ ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Pradeep Kar

ଖଲ୍ଲିକୋଟ :ଖଲ୍ଲିକୋଟ ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି। ପ୍ରତେକ ବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଯାତ୍ରା ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଆୟୋଜିତ ହେଲା ପ୍ରସ୍ତୁତି ବୈଠକ। ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଖଲ୍ଲିକୋଟ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖଲ୍ଲିକୋଟ ତହସିଲଦାର ଡି. ମାଲେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଡିଓ ଦେବାଶିଷ ସାମଲ, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ବନାଞ୍ଚଳ ଅଧିକାରୀ ଦିବ୍ୟ ଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ସେବା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ରଥ ଟଣା ସମୟରେ ଯାନବାହନ ପାର୍କିଂ ପାଇଁ ମର୍ଦ୍ଦରାଜ ହାଇସ୍କୁଲ, ମିନି ଷ୍ଟାଡିୟମ ଏବଂ କରଣସାହିସ୍ଥିତ ଆମରେଶ୍ୱର ମନ୍ଦିର ନିକଟରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ରଥଯାତ୍ରା ସମୟରେ ପୋଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ସମ୍ବେଦନଶୀଳ ସ୍ଥାନରେ କଡ଼ା ନଜରଦାରି ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆଲୋଚନା କରାଯାଇଛି। ସେପଟେ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ରଥଯାତ୍ରା କୁ ଲକ୍ଷ୍ୟ କରି ଖଲ୍ଲିକୋଟ ପ୍ରଶାସନ ପକ୍ଷରୁ ରଥ ଯାତ୍ରା ଦିନ ଓ ବାହୁଡା଼ ଯାତ୍ରା ଦିନ ବଡ଼ଦାଣ୍ଡ ରେ ଥିବା ଦୁଇଟି ମଦ ଦୋକାନ ବନ୍ଦ ରହିବା ସହ ରାସ୍ତାର ଦୁଇ ପାର୍ଶ୍ବରେ ରହିଥିବା ଉଠା ଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା l ଏହିପରି ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।

Also Read

Tags