ବ୍ରହ୍ମପୁର, ୪/୧୧/୨୬; ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କିଂ ସେବା ସହ ଯୋଡ଼ିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ତୁଳୁସ୍ଥିତ ଇନ୍ଦ୍ରାଖି ଗ୍ରାମ ପଞ୍ଚାୟତଠାରେ ଆୟୋଜିତ ଏହି ଶିବିରରେ ପ୍ରାୟ ୫୦୦ ଜଣ ହିତାଧିକାରୀ ଯୋଗଦେଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଅଭିଯାନର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାଙ୍କିଂ ସେବା ଓ ସରକାରୀ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଫ୍ଆଇଡିଡି ମହାପ୍ରବନ୍ଧକ ଶ୍ରୀ ଶୁଭ୍ରାଂଶୁ କୁମାର ରାଉତ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଫ୍ଜିଏମ୍ଓ ଭୁବନେଶ୍ୱରର ମହାପ୍ରବନ୍ଧକ ଶ୍ରୀ ସଞ୍ଜୀବ ରଞ୍ଜନ ସହାୟ, ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ଶ୍ରୀମତୀ ଏଲ୍. ସଙ୍ଗୀତା କୁଜୁର, ଆର୍ବିଆଇର ଏଲ୍ଡିଓ ଶ୍ରୀ ରିତେଶ କୁମାର ପାତ୍ର, ନାବାର୍ଡର ଡିଡିଏମ୍ ଶ୍ରୀ ସଞ୍ଜୀବ ମିଶ୍ର, ଗଞ୍ଜାମ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ହିମାଂଶୁ ସାହୁ, ତୁଳୁ ଶାଖା ପରିଚାଳକ ଶ୍ରୀ କେ. ସୁଧାକର ରାଓ, ରଙ୍ଗେଇଲୁଣ୍ଡା ବ୍ଲକ୍ ବିଡିଓ ଶ୍ରୀ ବିଶ୍ୱଜିତ ରାୟ ଏବଂ ଇନ୍ଦ୍ରାଖି ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସମେତ ବିଭିନ୍ନ ସରକାରୀ ସାମାଜିକ ସୁରକ୍ଷା ଯୋଜନା ଓ ବ୍ୟାଙ୍କିଂ ସେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା। ଯୋଜନାଗୁଡ଼ିକର ଉପକାରିତା, ଯୋଗ୍ୟତା ମାନଦଣ୍ଡ, ବୀମା ସୁବିଧା ଏବଂ ନାମାଙ୍କନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଅନ୍ୟପକ୍ଷରେ, ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମହାପ୍ରବନ୍ଧକ ଶ୍ରୀ ସଞ୍ଜୀବ ରଞ୍ଜନ ସହାୟ ସଚେତନତା ଷ୍ଟଲ୍କୁ ଉଦ୍ଘାଟନ କରିଥିଲେ। ଏହି ଷ୍ଟଲ୍ ସମଗ୍ର ଅଭିଯାନ ଅବଧିରେ କାର୍ଯ୍ୟକ୍ଷମ ରହିବ। ଏଠାରେ ସାଧାରଣ ଲୋକେ ବିଭିନ୍ନ ବ୍ୟାଙ୍କିଂ ସେବା, ସରକାରୀ ଯୋଜନା, ଯୋଗ୍ୟତା ଓ ନାମାଙ୍କନ ସମ୍ପର୍କରେ ଆବଶ୍ୟକୀୟ ସୂଚନା ଓ ସହାୟତା ପାଇପାରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସାକ୍ଷରତା ବୃଦ୍ଧି, ବ୍ୟାଙ୍କିଂ ସେବାର ସର୍ବସାଧାରଣଙ୍କ ପାଖରେ ପହଞ୍ଚ ଏବଂ ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ଦିଗରେ ୟୁନିଅନ୍ ବ୍ୟାଙ୍କର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
ଗ୍ରାମାଞ୍ଚଳରେ ଆର୍ଥିକ ସଚେତନତା ବୃଦ୍ଧିକୁ ୟୁନିଅନ୍ ବ୍ୟାଙ୍କର ଗୁରୁତ୍ୱ, ୫୦୦ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସଚେତନତା





