ଛତ୍ରପୁରରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Pradeep Kar

ଛତ୍ରପୁର, ତା.୨୭.୦୭.୨୬ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଜାତୀୟ ଉତ୍ସବ ଯାକଜମକରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆଶାପ୍ରକଟ କରିଥିଲେ । ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ଅଗଷ୍ଟ ୫ ତାରିଖରେ ଚିତ୍ରାଙ୍କନ ଓ ପ୍ରବନ୍ଧ, ଅଗଷ୍ଟ ୬ ତାରିଖରେ ଓଡିଆ ଏବଂ ଇଂରାଜୀ ବକ୍ତୃତା ଏବଂ ଅଗଷ୍ଟ ୭ ତାରିଖରେ ଓଡିଆ/ହିନ୍ଦୀ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଛତ୍ରପୁରସ୍ଥିତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ବାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ଅଗଷ୍ଟ ୧୪ ତାରିଖ ସଂଧ୍ଯା ସମୟରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ, ବ୍ଯାବସାୟିକ ପ୍ରତିଷ୍ଠାନ ଗୁଡୁକୁ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ କରିବା ପାଇଁ ଅନୁରୋଧ କରାଯାଇଛି । ପୂର୍ବାହ୍ନ ଘ.୯.୧୫ମି. ସମୟରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିବେ। ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଛତ୍ରପୁର ଗଣମାଧ୍ଯମଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଅପରାହ୍ନ ଘ. ୨ .୩୦ମି. ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ (ଜଉଗଡ) ଠାରେ ଦେଶାତ୍ମବୋଧ ବହୁଭାଷୀ କବିତାପାଠୋତ୍ସବ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ପ୍ୟାରେଡ୍ ଅଭ୍ୟାସ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଆରମ୍ଭ ହେବ । ସନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।

Also Read

Tags