କନ୍ଧମାଳ, ରାଜ୍ୟ ସରକାର ପ୍ରସ୍ତାବିତ କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏଆଇକେଏମଏସ୍) ଓ ଅଖିଳ ଭାରତ ଆଦିବାସୀ ମଞ୍ଚ ବିରୋଧ କରିଛି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଏହି ମେଡିକାଲ କଲେଜର ନାମକରଣ କରିବାର ଥିଲା । କିନ୍ତୁ ସରକାର ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ଵାର୍ଥ ପାଇଁ ଲକ୍ଷ୍ମଣାନନ୍ଦଙ୍କ ପରି ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ସାମ୍ପ୍ରଦାୟିକ ବିଚାରଧାରାର ବ୍ୟକ୍ତିଙ୍କ ନାଁରେ ନାମକରଣ କରିଛନ୍ତି । ସେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଏବଂ କନ୍ଧମାଳରେ ହିନ୍ଦୁ -ଖ୍ରୀଷ୍ଟିଆନ ବିଭାଜନ ଓ ଦଙ୍ଗା କରିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ସାକାରାତ୍ମକ ଭୂମିକା ନଥିଲା । ଏପରିକି 2008ରେ ତାଙ୍କର ମୣତ୍ୟୁ ପରେ ତାଙ୍କର ସାମ୍ପ୍ରଦାୟିକ ସମର୍ଥକମାନେ କନ୍ଧମାଳ ଇତିହାସରେ ସବୁଠାରୁ ବଡ ସାମ୍ପ୍ରଦାୟିକ ଦଙ୍ଗା ସଂଗଠିତ କରିଥିଲେ । ଏଥିପାଇଁ କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ଲୋକଙ୍କ ଉପରେ ଆକ୍ରମଣ ଓ ହିଂସା ସଂଗଠିତ ହୋଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ, ମହିଳାମାନଙ୍କୁ ଗଣଦୁଷ୍କର୍ମ ଓ ହଜାର ହଜାର ଘରକୁ ଲୁଟ୍ କରି ପୋଡି ଦିଆଯାଇଥିଲା । ଅତଏବ କନ୍ଧମାଳର ବହୁ ପ୍ରତିକ୍ଷିତ ମେଡିକାଲ କଲେଜର ନାମକରଣ ଲକ୍ଷ୍ମଣାନନ୍ଦଙ୍କ ପରି ଜଣେ ବିବାଦୀୟ ବ୍ୟକ୍ତିଙ୍କ ନାଁରେ ନାମକରଣ କରିବା ଦୁଃର୍ଭାଗ୍ୟଜନକ ଅଟେ । ସରକାର ହୁଏତ ନିଜର ରାଜନୈତିକ ସ୍ଵାର୍ଥ ସାଧନ କରିବାକୁ ସେଭଳି କରିବାକୁ ଭାବିଥାଇ ପାରନ୍ତି, କିନ୍ତୁ ତାହା ସମାଜକୁ କଦାପି ଏକ ଭଲ ବାର୍ତ୍ତା ଦେଉନାହିଁ । କନ୍ଧମାଳ ପରି ସାମ୍ପ୍ରଦାୟିକ ଦୣଷ୍ଟିରୁ ଏକ ସ୍ପର୍ଶ କାତର ଜିଲ୍ଲାରେ ବିଭିନ୍ନ ସମ୍ପ୍ରଦାୟ ଭିତରେ ଏକତା ଓ ଭାଇଚାରାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ବିଭାଜନର କ୍ଷତକୁ ତାଜା କରିଦେଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ସରକାରୀ ମେଡିକାଲ କଲେଜର ନାମ ବ୍ରିଟିଶ ବିରୋଧୀ ଘୁମୁସର ବିଦ୍ରୋହର ମହାନ ଯୋଦ୍ଧା ତଥା ଆଦିବାସୀମାନଙ୍କ ମହାନାୟକ ଚକରା ବିଷୋୟୀଙ୍କ ନାମରେ ନାମିତ କରିବାକୁ ଆମେ ଦାବି କରୁଛୁ । ପୂର୍ବରୁ କୋରାପୁଟ ମେଡିକାଲ କଲେଜକୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଓ କଳାହାଣ୍ଡି ମେଡିକାଲ କଲେଜ ଶହୀଦ ରିନ୍ଦୋ ମାଝୀଙ୍କ ନାଁରେ ମଧ୍ୟ କରାଯାଇଛି । ଅତଏବ ସରକାର ଦଳୀୟ ଭାବନାରୁ ଉର୍ଦ୍ଧ୍ୱକୁ ଉଠି ନିଜର ନିଷ୍ପତିକୁ ପୁନଃ ବିଚାର କରିବାକୁ ଆମେ ଦାବି କରୁଛୁ ।




