ଭୁବନେଶ୍ୱର, ୨୦ ଅଗଷ୍ଟ ୨୦୨୬ ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ (ଇଲେକ୍ଟ୍ରିକ୍), ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ। ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା କୌଣସି ପରମିଟ୍ ଦେୟରେ ଉପଯୁକ୍ତ ପରମିଟ୍ ପ୍ରଦାନ କରାଯିବ। ତେବେ ୩୦୦୦ କିଲୋଗ୍ରାମରୁ କମ୍ GVW ଥିବା ମାଲ୍ ପରିବହନ ଗାଡ଼ି ଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ। ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ, କିନ୍ତୁ ଏଥିପାଇଁ କୌଣସି ପରମିଟ୍ ଫି’ ଦେବାକୁ ପଡ଼ିବ ନାହିଁ। ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବା ସମାନ ଭାବେ ଆବଶ୍ୟକ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ବୈଦ୍ୟୁତିକ ଗାଡ଼ିର ବ୍ୟବହାର ବୃଦ୍ଧି ପାଇବ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ବେଶ୍ ସହାୟକ ହେବା ନେଇ ଆଶା ରଖାଯାଇଛି।




