ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଷଷ୍ଠ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳା

Pradeep Kar

ବ୍ରହ୍ମପୁର, ୨୯l0୮ : ମୌଳିକ ଭାବେ ଏମିତି କୌଣସି ବିଷୟ ଉତ୍କଳୀୟ ଜ୍ଞାନ ପରମ୍ପରା ହୋଇପାରିବ କି ? ଉତ୍କଳର ସାଂସ୍କୃତିକ, ଦାର୍ଶନିକ ଓ ଧର୍ମୀୟ ପରମ୍ପରାରେ ଯାହା ହୋଇଛି, ତାହା ଭାରତୀୟ ଜ୍ଞାନଧାରାକୁ ସମୃଦ୍ଧ କରିଛି l ବହୁତ୍ୱ ମଧ୍ୟରେ ଏକତ୍ୱର ଏକୀକରଣ ଘଟୁଛି ଭାରତୀୟ ଜ୍ଞାନ ପରମ୍ପରାରେ l ଜ୍ଞାନ ବର୍ତ୍ତମାନରେ ଥାଏ, ନବୀକୃତ ଓ ବିସ୍ତାରିତ ହେଉଥାଏ l ସେହି ଦୃଷ୍ଟିରୁ ଉତ୍କଳୀୟ ଜ୍ଞାନ ପରମ୍ପରାର ସ୍ୱତନ୍ତ୍ର ଚର୍ଚ୍ଚା ଆବଶ୍ୟକ ବୋଲି ବିଶ୍ୱଭାରତୀ, ଶାନ୍ତିନିକେତନ ଭାଷା ଭବନର ପ୍ରାକ୍ତନ ଅଧ୍ୟକ୍ଷ, ବିଶିଷ୍ଟ ଲୋକସାହିତ୍ୟ ତତ୍ତ୍ୱବିତ୍ ପ୍ରଫେସର୍ କଇଳାଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି l ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଷଷ୍ଠ ସମ୍ମିଳନୀ ଓ ଜାତୀୟ କର୍ମଶାଳାରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଫେସର୍ ପଟ୍ଟନାୟକ କହିଲେ, ଆମ ପୂର୍ବଜ ଓ ପରପିଢ଼ି ମଧ୍ୟରେ ବ୍ୟବଧାନ ବଢ଼ି ବଢ଼ି ଯାଉଛି l ଏହି ସ୍ଥିତିରେ ସମନ୍ୱୟ ସ୍ଥାପନ ନିମନ୍ତେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଚାହାଣି, ଚଳଣି, ଚମକ ପ୍ରସଙ୍ଗ ଏବଂ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ପରମ୍ପରା, ପରିସ୍ଥିତି ଓ ପୁରୋଦୃଷ୍ଟିକୁ ଆପଣେଇବାକୁ ହେବ l ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଷଷ୍ଠ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳ ସ୍ଥାନୀୟ ସରକାରୀ ଡି.ଏ.ଭି. ମହାବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ଣରେ ଉଦ୍ଘାଟିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ l ଏକ ଭବ୍ୟ ବାତାବରଣ ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଏହି ଅବସରରେ ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ପକ୍ଷରୁ ପ୍ରକାଶିତ ‘ଉତ୍କଳୀୟ ଜ୍ଞାନ ପରମ୍ପରା’ ଶୀର୍ଷକ ପୁସ୍ତକ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l କୋରାପୁଟ ଜିଲ୍ଲାର ଦୁଇ ଜଣ ସେବାନିବୃତ୍ତ ଓଡ଼ିଆ ଅଧ୍ୟାପକ ଡ. ରବି ଶତପଥୀ ଓ ଅଧ୍ୟାପକ ଶେଷାନନ୍ଦ ମିଶ୍ରଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଡ. ସତ୍ୟନାରାୟଣ ଆଚାର୍ଯ୍ୟ ଉଦ୍ଘାଟକ ରୂପେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଏହି ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳାର ଶୁଭ ଉଦ୍ଘାଟନ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ ‘ଉତ୍କଳୀୟ ଜ୍ଞାନ ପରମ୍ପରା’ ସଂପର୍କରେ ଉଲ୍ଲେଖ କରିବା ଓଡ଼ିଆ ଭାଷା-ସାହିତ୍ୟର ଗୁଣାତ୍ମକ ଗବେଷଣା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ସମବେତ ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଆହ୍ୱାନ ଜଣାଇଥିଲେ l ଭାଷା-ସାହିତ୍ୟର ନବଚିନ୍ତନ ଓ ନବମୂଲ୍ୟାୟନ ଦିଗରେ ଆଗ୍ରହୀ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ନିମନ୍ତେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦ୍ୱାର ଉନ୍ମୁକ୍ତ ବୋଲି ପ୍ରଫେସର୍ ଆଚାର୍ଯ୍ୟ ବକ୍ତବ୍ୟ ଛଳରେ କହିଥିଲେ l ଅଗଷ୍ଟ ୨୯ ଓ ୩0 ତାରିଖ ଦୁଇ ଦିନ ବ୍ୟାପୀ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା ଓ ଓଡ଼ିଶା ବାହାର ବିଭିନ୍ନ ଜିଲ୍ଲାରୁ ଆମନ୍ତ୍ରିତ ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଛନ୍ତି l ପ୍ରାକ୍-ଉଦ୍ଘାଟନୀ ପର୍ବରେ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ l ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଭାଷାଭବନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ କଇଳାଶ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଉତ୍କଳୀୟ ଜ୍ଞାନଧାରା ନାନା ଉପସର୍ଗ ଓ ଅନୁଷଙ୍ଗ ବିଷୟରେ ଉଲ୍ଲେଖ ପୂର୍ବକ କହିଥିଲେ, ଆନ୍ତରିକତା ନ ଥିଲେ ଷୋଡ଼ଶ ଉପଚାରରେ ପୂଜାର କୌଣସି ମୂଲ୍ୟ ନାହିଁ l ପରସ୍ପରକୁ ଆଲିଙ୍ଗନ ମୁଦ୍ରାରେ ସଂଖୋଳି ନେବା, ଦୂରକୁ ନିକଟ ସହିତ ଯୋଡ଼ିବା, ଭାବଗତ ସଂପର୍କ-ସେତୁକୁ ସୁଦୃଢ଼ କରିବା ଉତ୍କଳୀୟ ଜ୍ଞାନ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର୍ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ l ସଂପାଦକ ଡ. ଶରତ କୁମାର ଜେନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ବିଶ୍ୱ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ୨0୧୯ ମସିହାରୁ ଆରମ୍ଭ ହୋଇଥିବା ଶୈକ୍ଷିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ବାର୍ଷିକ ସମ୍ମିଳନୀ ଓ କର୍ମଶାଳାର ସଂଯୋଜିକା ଡ. ପ୍ରୀତିଧାରା ସାମଲ ପ୍ରାଗ୍-ଭାଷ ପ୍ରଦାନ ପୂର୍ବକ ସଂସ୍କୃତି ସଂପନ୍ନ କୋରାପୁଟ ମାଟିକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ସଂଗୋଷ୍ଠୀର ଉପ-ସଭାପତି ଡ. କୁଳମଣି ଓଝା ଉଦ୍ଘାଟନୀ ଉତ୍ସବର ସଂଯୋଜନା କରିଥିଲେ ଏବଂ ଶେଷରେ ଅଧ୍ୟାପିକା ସୁଜାତା ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l କ୍ରୋଡ଼ ଅଧିବେଶନରେ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରାକ୍ତନ ମୁଖ୍ୟ ଡ. ରମେଶ ଚନ୍ଦ୍ର ପ୍ରଧାନ ପୌରୋହିତ୍ୟ କରିଥିଲେ l ଜି. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ସଞ୍ଚାଳିତ ଏହି କ୍ରୋଡ଼ ଅଧିବେଶନରେ ଡ. ବନମାଳୀ ପାଣିଗ୍ରାହୀ, ଡ. ପୁଷ୍ପଲତା ରଥ ‘ଉତ୍କଳୀୟ ଜ୍ଞାନ ପରମ୍ପରାରେ ପ୍ରଦର୍ଶନଶୀଳ ଲୋକକଳା’ ଓ ଡ. ଅନୁପ କୁମାର ମାର୍ଥା ‘ଉତ୍କଳୀୟ ଜ୍ଞାନ ପରମ୍ପରା ଓ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’ ଶୀର୍ଷକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ l ଶେଷରେ ଡ. ସୌମେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଦ୍ଵିତୀୟ ବୈଷୟିକ ଅଧିବେଶନରେ କଙ୍କୋରଡ଼ା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ହରିକୃଷ୍ଣ ନାୟକ ପୌରୋହିତ୍ୟ କରିଥିଲେ l ଯୁବ ଅଧ୍ୟାପକ ଡ. ହୃଷୀକେଶ ମହାଖୁଡ଼ଙ୍କ ସଂଯୋଜନାରେ ସଂଚାଳିତ ଏହି ଅଧିବେଶନରେ ଡ. ଧରଣୀଧର ପଣ୍ଡା ଉତ୍କଳୀୟ ଜ୍ଞାନଧାରାରେ ଜଡ଼ିବୁଟି ଓ ସେବାନିବୃତ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ‘ଉଡ୍ର ସଂଗୀତ ପରମ୍ପରା’ ସଂପର୍କରେ ଆଲୋଚନା କରିଥିଲେ l ଶେଷରେ ଡ. ବିଶ୍ୱନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ତୃତୀୟ ବୈଷୟିକ ଅଧିବେଶନରେ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଶୋକ କୁମାର ପଣ୍ଡା ସଭାପତିତ୍ବ କରିଥିଲେ l ଡ. ଦିପୁନ୍ ପୁହାଣଙ୍କ ସଂଯୋଜନାରେ ସଂଚାଳିତ ଏହି ଅଧିବେଶନରେ ଡ. ପରମେଶ୍ୱର ମୁଣ୍ଡ, ଡ. ଚନ୍ଦ୍ରଶେଖର ଦାସ ଓ ଡ. ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଶେଷରେ ଅଧ୍ୟାପକ ଶାନ୍ତନୁ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags