କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ (ୱବ୍ଲୁ ବି ୩୩ ସି ୦୯୯୩)କୁ ପଛପଟୁ ଧକ୍କା ଦେଇଥିବା ଟ୍ରକ (ଟିଏନ ୩୦ ବିଭି ୮୫୩୯) ର ଡ୍ରାଇଭର କେବିନ ରେ ଚାପି ହୋଇ ରହିଥିଲେ। ଏନେଇ ସ୍ଥାନୀୟ ଗ୍ରାମବାସୀ ମାନେ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଦିର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ପରେ ଚାପି ହୋଇଥିବା ଡ୍ରାଇଭର କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ଡ୍ରାଇଭର ହେଉଛନ୍ତି ତାମିଲନାଡୁ ରାଜ୍ୟର ଆନ୍ନାପୁନ୍ନା ସ୍ୱାମୀ (୬୦) ବୋଲି ଜଣାପଡିଛି। ୱେଷ୍ଟବେଙ୍ଗଲ ରୁ କୁସୁମଖୁଣ୍ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ପାଇପ୍ ନେଇ ଆସୁଥିବା ଏକ ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା।ଧକ୍କା ଏତେ ଜୋର ରେ ହୋଇଥିଲା ଯେ ଧକ୍କା ଦେଇଥିବା ଟ୍ରକ ର କେବିନ ସମ୍ପୂର୍ଣ୍ଣ ଅଲଗା ହୋଇ ପଡ଼ିଥିଲା। ଉଦ୍ଧାର କାର୍ଯ୍ୟ ରେ ରାଧଶ୍ୟାମ ପ୍ରଧାନୀ, ଲଳିତ କୁମାର ପୁଟେଲ,ସୁନୀଲ କୁମାର ବାର୍ଳା, ଦେବାଶିଷ ମହାପାତ୍ର,ହେମନ୍ତ ନାଏକ,ଉମାକାନ୍ତ ନାଏକ,ସ୍ମୃତି ରଞ୍ଜନ ବିଶ୍ୱାଳ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସାମିଲ ରହିଥିଲେ।




