ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧ ପରମ୍ପରାକୁ ପାଳନ ଓ ପ୍ରଚାର କରିବା ଉଦ୍ଦେଶ୍ୟରେ ନୃତ୍ୟ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ‘ଅର୍ପଣ ୨୦୨୬’ ନାମରେ ଏକ ଭବ୍ୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହାଇଦ୍ରାବାଦ ସ୍ଥିତ ରବୀନ୍ଦ୍ର ଭାରତୀ ଠାରେ ଆୟୋଜିତ ହେବ। ଏହି ଅବସରରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶୀ ନୃତ୍ୟର ପାରମ୍ପରିକ ଓ ପ୍ରାମାଣିକ ଶୈଳୀକୁ ମଞ୍ଚରେ ପ୍ରଦର୍ଶନ କରିବେ। ଉତ୍ସବର ମୁଖ୍ୟ ଆକର୍ଷଣ ହେବ ଭଗବାନ ବିଷ୍ଣୁଙ୍କ ଦଶାବତାର ଉପରେ ଆଧାରିତ ଏକ ବିଶେଷ ନୃତ୍ୟନାଟିକା, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ଅଭିନୟ ଓ ଭାରତୀୟ ପୌରାଣିକ ପରମ୍ପରାର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ IPS ସୌମ୍ୟା ମିଶ୍ର, ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ଡ. କେ. ରତ୍ନଶ୍ରୀ ସୁଧାକର ଏବଂ କୁଚିପୁଡ଼ି ଗୁରୁ ଡ. ରାମା ଦେବୀ ଯୋଗଦେବେ। ଏହା ସହିତ ପୂର୍ବତନ NMDC ନିର୍ଦ୍ଦେଶକ ଡି. କେ. ମହାନ୍ତି, Keolisର HR ମୁଖ୍ୟ ରୀନା ଦାସ ଏବଂ JLLର ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଯୋଗ ଦେବେ। ଏହି ଓଡ଼ିଶୀ ନୃତ୍ୟ ଉତ୍ସବରେ ପ୍ରାୟ ୫୦୦ ଦର୍ଶକ ଯୋଗଦେବାର ଆଶା କରାଯାଉଛି । ‘ଅର୍ପଣ ୨୦୨୬’ ମାଧ୍ୟମରେ ଓଡ଼ିଶୀର ଶାସ୍ତ୍ରୀୟ ମହିମା, ଏହାର ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟକୁ ନୂତନ ପିଢ଼ି ଓ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ କରାଯାଉଛି । ତେଣୁ ହାଇଦ୍ରାବାଦରେ ରହୁଥିବା ପ୍ରବାସୀ ଓଡ଼ିଆ ଏବଂ ସମସ୍ତ ସଂସ୍କୃତିପ୍ରେମୀଙ୍କୁ ସେପ୍ଟେମ୍ବର ୬ ତାରିଖରେ ରବୀନ୍ଦ୍ର ଭାରତୀ ଠାରେ ଆୟୋଜିତ ‘ଅର୍ପଣ ୨୦୨୬’ରେ ଯୋଗଦେଇ ଏହି ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ନୃତ୍ୟ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ନିବେଦନ କରାଯାଇଛି ।
ଓଡ଼ିଶୀର ତାଳେ ଝୁମିବ ହାଇଦ୍ରାବାଦ, ସେପ୍ଟେମ୍ବର ୬ରେ ‘ଅର୍ପଣ ୨୦୨୬’ହାଇଦ୍ରାବାଦ





