ଦେବଗିରି ମଠରେ କୃଷ୍ଣ ଜନ୍ମାଷ୍ଟମୀ

Pradeep Kar

ଭବାନୀପାଟଣା, ୫|୯(): ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ଦ୍ବାପର ଯୁଗରେ କୃଷ୍ଣ ରୂପରେ ଅବତାର ଧାରଣ କରିଥିଲେ ଭଗବାନ ବିଷ୍ଣୁ। ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏହି କ୍ରମରେ ରାଜ୍ୟର ଏକ ପ୍ରସିଦ୍ଧ ଭଗବତ ପୀଠ ‘ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠ’ ଠାରେ ପାଳିତ ହୋଇଛି ଏହି ମହାନ ପର୍ବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠ ପୌରାଣିକ, ଐତିହାସିକ ଓ ପ୍ରାତ୍ନତାତ୍ତ୍ବିକ ବିଭବରେ ପରିପୂର୍ଣ୍ଣ। ଗୋସିଂହ ଦୈତ୍ୟଙ୍କ ତପସ୍ଥଳୀ ଭାବେ ଖ୍ୟାତ ଦେବଗିରିରେ କାଳକ୍ରମେ ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗଣପତ୍ୟ ଆଦି ଧର୍ମଧାରାର ମହାମିଳନ ଘଟିଛି। ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଥାଏ। ପରମ୍ପରା ଅନୁକ୍ରମେ ଯାଦବ ରମଣୀମାନେ ମଠର ଦଧିବାମନଜୀଉ ମନ୍ଦିର ମଧ୍ୟରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଜନ୍ମାଷ୍ଟମୀ ଦିନ ମଠର ଆରାଧ୍ୟ ଦେବତା ଦଧିବାମନଜୀଉ ଶ୍ରୀକୃଷ୍ଣ ଭାବେ ଉପାସିତ ହୋଇଥାନ୍ତି। ଗୋପାଳୁଣୀମାନେ ସ୍ବତନ୍ତ୍ର ଭାବେ କୃଷ୍ଣଙ୍କ ପ୍ରତିମାକୁ କୋଳରେ ଧରି ନିଷ୍ଠାର ସହ ଏହି ନିତି ପାଳନ କରିଥିଲେ। ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ପରିକ୍ରମା କରାଇ ସୁସଜ୍ଜିତ ଦୋଳିରେ ଝୁଲା ଯାଇଥିଲା। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ହରି ଦାସ, ରୋମାଞ୍ଚଳ ଦାସ, ଗୋପାଳ ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, କାନ୍ତ ମାଝୀ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜା କାର୍ଯ୍ୟ ଓ ପୁରାଣ ପଠନ ସଂପାଦନ କରିଥିଲେ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡଙ୍କ ସହ ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ଅନିଲ ଧଙ୍ଗଡାମାଝୀ, ଡମବୁଡା ଗଉଡ,ଧନେ ହେର୍ଣ୍ଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Also Read

Tags