କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଚାଁଚେର ଗ୍ରାମପଞ୍ଚାୟତ ଅଧୀନରେ ଏନ୍ଏଚ୍-୨୬ କଡ଼ରେ ଥିବା ବୈଶାଳୀ ପାଣି ପାଉଚ୍ ଫ୍ୟାକ୍ଟେରିରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଶ୍ରମିକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଭବାନୀପାଟଣା, ପରେ ବୁର୍ଲା ଏବଂ ସେଠାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନ ଗଞ୍ଜେରମାଲ ଗ୍ରାମର ୨୩ ବର୍ଷୀୟ କ୍ଷେତ୍ର ନାଏକ ଗତ ପ୍ରାୟ ଦୁଇ ବର୍ଷ ଧରି ଉକ୍ତ ପାଣି ପାଉଚ୍ ଫ୍ୟାକ୍ଟେରିରେ କାମ କରୁଥିଲେ। ଗତ ଗୁରୁବାର ସକାଳ ପ୍ରାୟ ୮ ଘଣ୍ଟା 30ମିନିଟ ସମୟରେ ସେ ବିଦ୍ୟୁତ୍ ଆଘାତରେ ଶିକାର ହୋଇ ଗୁରୁତର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କ୍ଷେତ୍ର ନାଏକ ପାଣି ପାଉଚ୍ ଭରିବା କାମରେ ନିୟୋଜିତ ଥିବାବେଳେ ତାଙ୍କୁ ବିଦ୍ୟୁତ୍ ସମ୍ପର୍କିତ କାମ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, ତାହା ନେଇ ପ୍ରଶ୍ନ ଉଠିଛି। ଜଣେ ପାଣି ପାଉଚ୍ ଶ୍ରମିକଙ୍କୁ ବିଦ୍ୟୁତ୍ କାମରେ ନିୟୋଜିତ କରାଯାଇଥିଲା କି ନାହିଁ, ସେନେଇ ତଦନ୍ତର ଆବଶ୍ୟକତା ରହିଛି। ଘଟଣା ପରେ ଗୁରୁତର କ୍ଷେତ୍ରଙ୍କୁ ଭବାନୀପାଟଣା ନିଆଯାଇଥିଲା। ପରେ ତାଙ୍କୁ ବୁର୍ଲାକୁ ରେଫର କରାଯାଇଥିବା ବେଳେ ବୁର୍ଲାରୁ ମଧ୍ୟ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଘଟଣାର ତିନି ଦିନ ପରେ ମଧ୍ୟ ଚିକିତ୍ସା ଖର୍ଚ୍ଚ ଓ ଚିକିତ୍ସା ସହାୟତା ନେଇ କମ୍ପାନୀ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶନିବାର ଗ୍ରାମବାସୀମାନେ ବୈଶାଳୀ ଫ୍ୟାକ୍ଟେରି ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଓ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ଫ୍ୟାକ୍ଟେରି ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ପ୍ରଶ୍ନ ଉଠିଛି। ଫ୍ୟାକ୍ଟେରି ଭିତରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ବିଦ୍ୟୁତ୍ କାମ ପାଇଁ ଯୋଗ୍ୟ ଓ ପ୍ରଶିକ୍ଷିତ କର୍ମଚାରୀ ଥିଲେ କି ନାହିଁ ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ—ଏସବୁ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଘଟଣାରେ ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଶ୍ରମିକଙ୍କ ଚିକିତ୍ସା ଓ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଉଠିଛି।
ବୈଶାଳୀ ପାଣି ପାଉଚ୍ ଫ୍ୟାକ୍ଟେରିରେ ବିଦ୍ୟୁତ୍ ଆଘାତରେ ଶ୍ରମିକ ଗୁରୁତର





