ଛତ୍ରପୁର, ତା. ୧୦/୦୯/୨୬: ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଭାବେ ସଚେତନ କରିବା ସହ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ଓ ସାଇବର ଅପରାଧରୁ ସୁରକ୍ଷିତ ରହିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ଭାରତ ପତି ମହାବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟ, ସୁରଙ୍ଗିଠାରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେର୍କେଟା ଛାତ୍ରଛାତ୍ରୀଙ୍କୁ ସଞ୍ଚୟର ଅଭ୍ୟାସ ଗଢ଼ି ତୋଳିବା ସହ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଓ ଜ୍ଞାନର ସଠିକ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ନିଜକୁ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁ ନିୟମିତ ସଞ୍ଚୟର ଗୁରୁତ୍ୱ ଏବଂ ଅନଲାଇନ୍ କାରବାର ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ। ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସାଇବର ସେଲ୍ର ସହକାରୀ ଆରକ୍ଷୀ ଉପନିରୀକ୍ଷକ କିରଣ କୁମାର ପାତ୍ର ଅଜଣା ଆପ୍ କିମ୍ବା ଫାଇଲ୍ ଡାଉନଲୋଡ୍ ନକରିବା, ଅନଲାଇନ୍ ପ୍ରତାରଣା ଓ ମିଥ୍ୟା ଜରୁରୀକାଳୀନ ଫୋନ୍ କଲ୍ରୁ ସତର୍କ ରହିବା, ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ଏବଂ ମୋବାଇଲ୍ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପାତ୍ରପୁର ଡାକ ବିଭାଗର ସୁନିଲ କୁମାର ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନାର ଉପକାରିତା ବିଷୟରେ ସଚେତନ କରିଥିଲେ। କର୍ମଶାଳାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା





