ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଖାଇ ଅବସରରେ କଳାହାଣ୍ଡିରେ ଆୟୋଜିତ ହୋଇଛି ଏକ ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟକ୍ରମ। ‘କାରୁଣ୍ଡ ସେବା ସଂଗଠନ’ ଭବାନୀପାଟଣା ପକ୍ଷରୁ ‘ଅମୃତ ମାତୃପିତୃ ସେବା’ ନାମରେ ଗରିବ, ଅସହାୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଶାଢ଼ୀ, ଧୋତି ଓ ଗାମୁଛା ବଣ୍ଟନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଦଶପୁର ସ୍ଥିତ ଛତ୍ରପୁର ଆଶ୍ରମ ପରିସରରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୂଆଖାଇ ପର୍ବର ଖୁସିକୁ ସମାଜର ଅବହେଳିତ ଓ ଅସହାୟ ଲୋକଙ୍କ ସହ ବାଣ୍ଟିବା ଉଦ୍ଦେଶ୍ୟରେ ଆୟୋଜକଙ୍କ ପକ୍ଷରୁ ଏହି ପ୍ରୟାସ କରାଯାଇଛି।କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ଆୟୋଜନରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ୍ ଅର୍ଗାନାଇଜେସନ୍, ସ୍ୱାମୀ ରାମ ହିମାଳୟନ୍ ଯୋଗ ଆଶ୍ରମ, ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍, ମୀନଗୁର ସମେତ ବିଭିନ୍ନ ସହଯୋଗୀ ସଂସ୍ଥା ସାମିଲ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଓ ସଂଗଠନର ସଦସ୍ୟମାନେ ଲୋକଙ୍କୁ ସେବା ଓ ସହଯୋଗର ମହତ୍ତ୍ୱ ବିଷୟରେ ବାର୍ତ୍ତା ଦେଇଥିଲେ। ନୂଆଖାଇ ଭଳି ଗଣପର୍ବ ସମୟରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
ନୂଆଖାଇ ଅବସରରେ ‘ଅମୃତ ମାତୃପିତୃ ସେବା’, ଗରିବ ଓ ଅସହାୟଙ୍କୁ ଶାଢ଼ୀ, ଧୋତି ଓ ଗାମୁଛା ବଣ୍ଟନ





