କଳାହାଣ୍ଡି, କଳାହାଣ୍ଡିରୁ ଆସିଛି ଦାଦନ ଶ୍ରମିକଙ୍କ ମୃତ୍ୟୁର ଖବର। ଆନ୍ଧ୍ରପ୍ରଦେଶରେ ପୋଖରୀରେ ବୁଡ଼ି ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ସୁଙ୍ଗେରଗଡ଼ ଗ୍ରାମର ବାଲସିଂ ମାଝୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତଦେହ ଗାଁକୁ ଆଣିବା ବେଳେ ରାସ୍ତା ସମସ୍ୟା ପୁଣି ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ଗାଁଠାରୁ ୨ କିଲୋମିଟର ପୂର୍ବରୁ ଅଟକିଯିବାରୁ ଖଟିଆରେ ମୃତଦେହକୁ ବୋହି ନେଇଥିଲେ ଗ୍ରାମବାସୀ। ଥୁଆମୂଲ ରାମପୁର ରୁ ଦେଶ ବାହାର କୁ ଭରପୁର ରପ୍ତାନୀ ହେଉଛି ମୂଲ୍ୟବାନ ଖଣିଜ ସମ୍ପଦ। କିନ୍ତୁ ସେହି ଖଣି ଅଞ୍ଚଳର ବାଲସିଂ ମାଝୀ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶର ଦାଦନ ଶ୍ରମିକ ହୋଇ ଆଜି ଶବ ଘରକୁ ଫେରିଛି । ଆନ୍ଦ୍ରାର ଗୁଣ୍ଟୁର ଜିଲ୍ଲା ଗୁଡବାଡା ଅଞ୍ଚଳର ଏକ ଫାର୍ମରେ ଥିବା ପ୍ରାୟ ୪୦ ଏକରର ମାଛଚାଷ ପୋଖରୀକୁ ଖାଦ୍ୟ ଦେବା ପାଇଁ ବାଲସିଂ ଓ ତାଙ୍କ ପାଖ ଗାଁ ମୁର୍ଲିମୁଇ ର ବଗନା ମାଝୀ ଡଙ୍ଗାରେ ଯାଇ ପୋଖରୀ ମଝିରେ ଡଙ୍ଗା ବୁଡ଼ିଯାଇଥିଲା ବୋଲି ସୂଚନା ମିଳୁଛି।ବଗନା ପହଁରି କୂଳକୁ ଆସିଥିବା ବେଳେ ବାଲସିଂ ପହଁରି ନ ପାରି ବୁଡି ଯାଇଥିଲେ । ପରେ ତାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରି ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ଫାର୍ମ ମାଲିକଙ୍କ ପକ୍ଷରୁ ଆମ୍ବୁଲାନ୍ସରେ ଗାଁକୁ ପଠାଯାଇଥିଲା।ତାଙ୍କ ପଛରେ ସ୍ତ୍ରୀ ଓ ଦୁଇ ପୁଅ ରହିଛନ୍ତି ଘରର ମୁଖ୍ୟ ରୋଜଗାରିଆ ଙ୍କ ମୃତ୍ୟୁ ରେ ସବୁ ଭାଙ୍ଗି ପଡିଛନ୍ତି ପରିବାର। ଏହି ପାଞ୍ଚବର୍ଷ ହେଲା ଥୁଆମୂଲ ରାମପୁର ଅଞ୍ଚଳର ଅନେକ ଲୋକ ବାହାର କୁ ଦାଦନ ଯାଇ ମୃତ୍ୟୁ ହେଉଛନ୍ତି କିନ୍ତୁ ପ୍ରଶାସନ ନିରବତାକୁ ଉଠୁଛି ପ୍ରଶ୍ନ ନାଁ ରୋଜଗାର ଅଛି ନାଁ ଉନ୍ନତ ମାନର ଚାଷ ପାଇଁ ପ୍ରୋତ୍ସାହନ ମିଳୁଛି । ଦାଦନ ସମସ୍ୟାର ସମାଧାନ ସହ ସୁଙ୍ଗେରଗଡ଼କୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ଏବେ ତାହା ଉପରେ ସମସ୍ତଙ୍କର ନଜର।
ସିଯିମାଲି ଅଞ୍ଚଳରୁ ଦାଦନ ଯାଇ ମୃତ୍ୟୁ ,ରାସ୍ତା ଅଭାବରୁ ୨ କିମି ଖଟିଆରେ ବୁହା ହେଲା ମୃତଦେହ





