ଉତ୍କଳ ଆଶ୍ରମ ପକ୍ଷରୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ୪୨ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ

Pradeep Kar

ବ୍ରହ୍ମପୁର, 0୨l0୬ : ଐତିହାସିକ ସ୍ମୃତିତୀର୍ଥ ଉତ୍କଳ ଆଶ୍ରମ ନ୍ୟାସ ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍-ସ୍ୱାଧୀନତାକାଳୀନ ଓଡ଼ିଶାର ଦ୍ଵିତୀୟ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ତଥା ଭାରତବର୍ଷର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ଦାସଙ୍କ ବୟାଳିଶତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ନ୍ୟାସର ବରିଷ୍ଠ ସଦସ୍ୟ କୃଷ୍ଣ ଚରଣ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟଅତିଥି, ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରାକ୍ତନ ପ୍ରଫେସର୍ ଡକ୍ଟର୍ ଭି. ରାଜେନ୍ଦ୍ର ରାଜୁ ସମ୍ମାନିତ ଅତିଥି ଓ ଗଞ୍ଜାମ ଐତିହ୍ୟ ଗବେଷକ ଡକ୍ଟର୍ ଅନନ୍ତରାମ କର (କୌଣ୍ଡିନ୍ୟ) ମୁଖ୍ୟବକ୍ତା ରୂପେ ଯୋଗଦେଇ ଜାତୀୟ ମୁକ୍ତି ସଂଗ୍ରାମରେ ବିଶ୍ୱନାଥ ଦାସଙ୍କ ତ୍ୟାଗ-ତପସ୍ୟାପୂତ ଭୂମିକା ସାମାଜିକ-ରାଜନୀତିକ କାର୍ଯ୍ୟାବଳୀ, ସେବାମୂଳକ କାର୍ଯ୍ୟ ଓ ଭାରତୀୟ ଜୀବନାଦର୍ଶର ପୁନଃ ପ୍ରତିଷ୍ଠା ଦିଗରେ ନିଷ୍ଠାପର ପ୍ରୟାସ ସଂପର୍କରେ ନାନା ଦିଗରୁ ଆଲୋଚନା କରିଥିଲେ l ମୁଖ୍ୟଅତିଥି ପ୍ରଫେସର୍ ଚୌଧୁରୀ ତାଙ୍କ ବକ୍ତବ୍ୟରେ ସ୍ବର୍ଗତ ବିଶ୍ୱନାଥ ଦାସଙ୍କ ଶୁଦ୍ଧ, ସରଳ ଜୀବନଚର୍ଯ୍ୟା, ଜାତୀୟ ମୁକ୍ତି ସଂଗ୍ରାମରେ ଯୋଗଦାନ ଓ ବନ୍ଦୀ ଜୀବନ, ରାଜନୀତିକ ବିଚାର ସଂପର୍କରେ ବର୍ଣ୍ଣନା କରିଥିଲେ l ସମ୍ମାନିତ ଅତିଥି ଡ. ରାଜେନ୍ଦ୍ର ରାଜୁ ସ୍ବର୍ଗୀୟ ବିଶ୍ୱନାଥ ଦାସଙ୍କ ବ୍ୟକ୍ତିତ୍ୱର କେତେକ ମହନୀୟ ଦିଗ ସଂପର୍କରେ ବର୍ଣ୍ଣନା କରିଥିଲେ l ମୁଖ୍ୟବକ୍ତା ରୂପେ ଗବେଷକ ଡ. ଅନନ୍ତରାମ କର (କୌଣ୍ଡିନ୍ୟ) ବିଶ୍ୱନାଥ ଦାସଙ୍କୁ ଜଣେ ଜାତୀୟ ସ୍ତରର ରାଷ୍ଟ୍ରନୀତିଜ୍ଞ, ସ୍ୱାଭିମାନୀ ଓଡ଼ିଆ, ଜନହିତୈଷୀ ଦୂରଦୃଷ୍ଟି ସଂପନ୍ନ ରାଜନେତା ରୂପେ ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଉକ୍ତ ସ୍ମୃତି ସମାରୋହର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଡ. କୃଷ୍ଣପ୍ରସାଦ ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଡ. କୁଳମଣି ଓଝା ସମାରୋହର ସଂଯୋଜନା କରିଥିଲେ ଏବଂ ଶେଷରେ ଡ. ସୁଜିତ୍ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଡ. ହୃଷୀକେଶ ପଣ୍ଡା, ଡ. ନୃସିଂହାନନ୍ଦ ଶାସମଲ୍, ବିରୂପାକ୍ଷ ଦାଶ, ଡ. ପଦ୍ମନାଭ ସାହୁ, ଡ. ସୂର୍ଯ୍ୟ ନାରାୟଣ ପଣ୍ଡା, ଶ୍ରୀକାନ୍ତ ଦାସ, ନଳିନୀକାନ୍ତ ଗୌଡ଼, ନୀଳକଣ୍ଠ ସାହୁ, ପ୍ରମୋଦ କୁମାର ପଣ୍ଡା, ଶରତ କୁମାର ଦାସ, ରମାରମଣ ପ୍ରହରାଜ, ଦିଲୀପ କୁମାର ମିଶ୍ର, ହୃଦୟାନନ୍ଦ ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Also Read

Tags